ଗୁଗଲକୁ ଝଟକା, ଏହି ଦେଶରେ ବ୍ୟାନ୍ ହେଲା ପିକ୍ସଲ୍ ସ୍ମାର୍ଟଫୋନ୍

Published By : Prameya-News7 Bureau | November 02, 2024 IST

ନୂଆଦିଲ୍ଲୀ: ଇଣ୍ଡୋନେସିଆ ସରକାର ଗୋଟିଏ ସପ୍ତାହ ପୂର୍ବେ ଆଇଫୋନ୍ ବ୍ୟାନ୍ କରିଥିଲେ । ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୁଗଲ ପିକ୍ସଲ ସ୍ମାର୍ଟଫୋନକୁ ଇଣ୍ଡୋନେସିଆ ସରକାର ବ୍ୟାନ୍ କରିଛନ୍ତି । ସ୍ଥାନୀୟ ମ୍ୟାନୁଫେକଚରିଂ କମ୍ପୋନେଟ୍ ନିୟମ ଉଲ୍ଲଂଘନ ସହ ଏହି ମାମଲା ଜଡ଼ିତ ରହିଛି । ଇଣ୍ଡୋନେସିଆ ନିୟମ ଅନୁସାରେ ଯଦି କୌଣସି କମ୍ପାନି ଇଣ୍ଡୋନେସିଆରେ ସ୍ମାର୍ଟଫୋନ ବିକ୍ରି କରେ ତେବେ ଏହାର ୪୦ ପ୍ରତିଶତ ପାର୍ଟ୍ସ ସ୍ଥାନୀୟ ହେବା ଦରକାର । ନିୟମ ଉଲ୍ଲଂଘନ କଲେ କରକାର ସ୍ମାର୍ଟଫୋନ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ଦେଶର ଉଦ୍ୟୋଗ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, 'ଆମେ ନିୟମକୁ ପାଳନ କରୁଛୁ ଏବଂ ଇଣ୍ଡୋନେସିଆରେ ନିବେଶକଙ୍କ ପୂରା ଧ୍ୟାନ ରଖାଯିବ । ଗୁଗଲ ଉତ୍ପାଦ ଆମ ଦ୍ୱାରା ଧାର୍ଯ୍ୟ ନିୟମର ପାଳନ କରୁ ନାହିଁ, ଏଥିପାଇଁ ଆମ ଦେଶରେ ବିକ୍ରି କରିପାରିବେ ନାହିଁ । ପିକ୍ସଲ ଫୋନ ଆନୁଷ୍ଠାନିକ ଭାବେ ବର୍ତ୍ତମାନ ସମୟରେ ଇଣ୍ଡୋନେସିଆରେ ବିତରଣ ହେଉ ନାହିଁ ।' 

ସେ ଆହୁରି କହିଛନ୍ତି, 'ଯଦି କିଏ ପିକ୍ସଲ ଫୋନକୁ ଅନ୍ୟ ଦେଶରେ କିଣିବାକୁ ଚାହାନ୍ତି ତେବେ ସେ କିଣିପାରିବେ । କିନ୍ତୁ ଏଥିପାଇଁ ତାଙ୍କ ସ୍ଥିରିକୃତ ଟିକସ ଦେବାରୁ ପଡ଼ିବ । ଏପରି ଅନେକ ଦେଶ ଅଛନ୍ତି ଯେଉଁମାନେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।' ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ଦେଶରେ ଏପରି ବ୍ୟାନ ଦେଖିବାକୁ ମିଳି ନାହିଁ । ଇଣ୍ଡୋନେସିଆ ସରକାର ଗୋଟିଏ ସପ୍ତାହ ପୂର୍ବେ ଆଇଫୋନ-୧୬କୁ ବ୍ୟାନ୍ କରିଥିଲେ । ଆପଲ୍ ସ୍ଥାନୀୟ ଉପାଦାନ ନିୟମକୁ ପାଳନ କରୁନଥିବା ଅଭିଯୋଗ ହୋଇଥିଲା । ଇଣ୍ଡୋନେସିଆରେ ଯଦି କୌଣସି କମ୍ପାନି ନିଜ ଉତ୍ପାଦନ ବିକ୍ରି କରିବାକୁ ଚାହାନ୍ତି ତେବେ ସ୍ଥାନୀୟ ଉପଦାନକୁ ବ୍ୟବହାର କରିବାରୁ ପଡ଼ିଥାଏ । ଅର୍ଥାତ୍ କମ୍ପାନିଗୁଡ଼ିକୁ ସ୍ଥାନୀୟ ସପ୍ଲାୟରଙ୍କ ସହ ହାତ ମିଶାଇବାକୁ ପଡ଼ିବ । ଇଣ୍ଡୋନେସିଆରେ ସ୍ମାର୍ଟଫୋନ ମାର୍କେଟ୍ ବହୁତ ବଡ଼ । ୨୦୨୪ର ପ୍ରଥମ ତ୍ରୈମାସରେ ଏଠାରେ ଅପୋ ଏବଂ ସାମସଙ୍ଗ ସବୁଠୁ ଅଧିକ ସ୍ମାର୍ଟଫୋନ ବିକ୍ରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.