ଟ୍ରେନ୍‌ ଚଢ଼ିବା ସମୟରେ ଦଳାଚକଟାରେ ଜଣେ ମୃତ, ଛଠ୍‌ ପୂଜାରେ ଘରକୁ ଫେରିବା ପାଇଁ ଷ୍ଟେସନରେ ଲାଗିଥିଲା ପ୍ରବଳ ଭିଡ଼

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ସୁରଟ ରେଲଓ୍ବେ ଷ୍ଟେସନରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି। ଏଥିରେ ଜଣକ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ପ୍ରକୃତରେ ଷ୍ଟେସନରେ ଗତ ଦୁଇ ଦିନରୁ, ଛଠ୍ ପୂଜା ପାଇଁ ଘରକୁ ଫେରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଶନିବାର ମଧ୍ୟ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ବିହାର ଯାଉଥିବା ଟ୍ରେନ୍‌ରେ ଚଢ଼ିବା ସମୟରେ ହଠାତ୍‌ ଦଳାଚକଟା ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବେହୋସ୍‌ ହୋଇପଡ଼ିଥିଲେ ଆଉ ପରେ ତାଙ୍କର ମୃତ୍ୟ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଦଳାଚକଟା ସମୟରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକ ଜଣକ ବିହାର ଛପରାର ବୋଲି ଜଣାପଡ଼ିଛି। ତାଙ୍କ ନାଁ ବିରେନ୍ଦ୍ର କୁମାର। ବିରେନ୍ଦ୍ର ସୁରଟରେ ଚାକିରି କରୁଥିଲେ ଏବଂ ଛଠ୍‌ ପୂଜା ପାଇଁ ନିଜ ଭାଇଙ୍କ ସହ ଘରକୁ ଫେରୁଥିଲେ। ବେହୋସ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଦଳାଚକଟାରେ ଅନେକ ଯାତ୍ରୀ ବେହୋସ ହୋଇପଡ଼ିଥିଲେ ସେମାନଙ୍କୁ ଆରପିଏଏଫ୍‌ ଅଧିକାରୀ ସିପିଆର ଦେଇ ରକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଗାୟତ୍ରୀ ଯଜ୍ଞ ସମୟରେ ଦଳାଚକଟା; ୨ ମହିଳାଙ୍କ ମୃତ୍ୟୁ, ୫ ଗୁରୁତର

ପୋଲିସ୍‌ ଅନୁଯାୟୀ ଦଳାଚକଟା ସେହି ସମୟରେ ହୋଇଥିଲା ଯେତେବେଳେ ଯାତ୍ରୀ ତାପ୍ତୀ ଗଙ୍ଗା ଏକ୍ସପ୍ରେସ୍‌ରେ ଚଢ଼ିବା ପାଇଁ ଜମା ହୋଇଥିଲେ। ହଠାତ୍‌ ଦଳାଚକଟା ହୋଇଥିଲା। ତିନିରୁ ଚାରି ଜଣ ବେହୋସ ହୋଇପଡ଼ିଥିଲେ। ବିରେନ୍ଦ୍ର କୁମାର ମଧ୍ୟ ଏମାନଙ୍କ ମଧ୍ୟରେ ଥିଲେ। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ବିରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.