ପାକିସ୍ତାନ ପାଇଁ କାଳ ହେଉଛି ତାଲିବାନ: ଖାଇବର ପଖତୁନ୍‌ଖ୍ୱାର ଏକାଧିକ ଗାଁ ଉପରେ କବ୍‌ଜା କଲା ଟିଟିପି

Published By : Prameya-News7 Bureau | September 06, 2023 IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ଅକ୍ତିଆର ବେଳେ ଯେଉଁ ତାଲିବାନକୁ ସମର୍ଥନ କରିଥିଲା ପାକିସ୍ତାନ ଆଜି ସେଇ ତାଲିବାନ ପାକିସ୍ତାନ ପାଇଁ କାଳ ସାଜିଛି। ପାକିସ୍ତାନରେ ରାଜ କରୁଥିବା ତାଲିବାନ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ପାକିସ୍ତାନକୁ ଦୁର୍ବଳ କରିବାରେ ଲାଗିପଡ଼ିଛନ୍ତି। ତେହିରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ନିକଟରେ ଅନେକ ବଡ଼ ବଡ଼ ଆକ୍ରମଣ କରିଥିବା ବେଳେ ଏବେ ଖାଇବର ପଖତୁନଖ୍ୱା ଅଞ୍ଚଳର ଚିତ୍ରାଲ ଜିଲ୍ଲାର ଏକାଧିକ ଗାଁ ଉପରେ କବ୍‌ଜା କରି ନେଇଛି।

ବୁଧବାର(ସେପ୍ଟେମ୍ବର ୬) ଭୋର ୪ଟା ସମୟରେ ଟିଟିପିର ସେନା ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଏକାଧିକ ପାକ୍ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଏନେଇ ଜଣେ ଟିଟିପି କମାଣ୍ଡର 'ଦି ଖୋର୍‌ସାନ ଡାଏରୀ'କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି “ ଟିଟିପି ଦ୍ୱାରା ଚିତ୍ରାଲ ଜିଲ୍ଲାରେ ଏକ ସୈନ୍ୟ ଅପରେସନ ହୋଇଥିଲା। ଏଥିରେ ଏକାଧିକ ଗାଁକୁ କବ୍‌ଜା କରିନିଆଯାଇଛି। ପାକିସ୍ତାନ ସମୟ ଆଜି ଭୋର ୪ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ଆମେ ଏହାର ଫଟୋ ଶେୟାର କରିବୁ। ଏବେ ଆମ ପାଖରେ ଦୁର୍ବଳ ଇଣ୍ଟରନେଟ୍ ବ୍ୟବସ୍ଥା ରହିଛି।”

ଦି ଖୋରାସାନ ଡାଏରୀ ନିଜକୁ ଏକ ନିରପେକ୍ଷ ଖବର ବିଶ୍ଳେଷକ ବୋଲି ଦାବି କରୁଛି। ଏହି ସଂସ୍ଥା ବାସ୍ତବିକ ସମୟର ସୂଚନା ଓ ଏହାର ବିଶ୍ଲେଷଣ କରିଥାଏ।

ପଢ଼ନ୍ତୁ-ଅଖଣ୍ଡ ଭାରତ ତୁମେ ନିଶ୍ଚୟ ଦେଖିବ; ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ

ଏକ୍ସରେ ପୋଷ୍ଟ ହୋଇଥିବା ସୂଚନା ଅନୁସାରେ ଖାଇବର ପଖତୁନ୍‌ଖ୍ୱା ନିକଟରେ ଡୁରାଣ୍ଡ ଲାଇନ(ଉଭୟ ଦେଶର ସୀମା ରେଖା) ନିକଟରେ ଟିଟିପି ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ତୋର୍‌ଖାନ ସମାରେ ଅତିକ୍ରମ ରାସ୍ତ ବନ୍ଦ ହୋଇଯାଇଥିଲା। ଏଥିରେ ଏକାଧିକ ପାକିସ୍ତାନୀ ସେନାର ନିହତ ହୋଇଛନ୍ତି। ତେବେ ସୋସିଆଲ୍ ମିଡିଆରେ ସମ୍ପର୍କିତ ଖବର ପ୍ରକାଶ ପାଉଥିବା ବେଳେ ପାକିସ୍ତାନ ଗଣମାଧ୍ୟମ କିନ୍ତୁ ଏନେଇ କୌଣସି ଖବର ପ୍ରକାଶ କରି ନାହିଁ।

ଏନେଇ ଟିଟିପି ପ୍ରବକ୍ତା ମହମ୍ମଦ ଖୁରାସାନୀ କହିଛନ୍ତି “ ଆମେ ଚିତ୍ରାଲ ଲୋକଙ୍କୁ କହିବାକୁ ଚାହୁଁଛୁ ଯେ ଆପଣମାନେ ନିରବ ରୁହନ୍ତୁ। ଆପଣଙ୍କୁ କୌଣସି କ୍ଷତି ପହଞ୍ଚିବ ନାହିଁ। ଆମ ଲଢ଼େଇ କେବଳ ଜବରଦଖଲକାରୀ ଦମନକାରୀ ସୁରକ୍ଷା ସଂସ୍ଥା ବିରୁଦ୍ଧରେ ରହିଛି।” ସ୍ଥାନୀୟ ଗଣାଧ୍ୟମରେ ଟିଟିପି ପ୍ରବକ୍ତାଙ୍କ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୋସିଆଲ୍ ମିଡିଆରେ ଯୁଦ୍ଧ ସମ୍ପର୍କିତ ଏକାଧିକ ଭିଡିଓ ଅପ୍‌ଲୋଡ୍ ହୋଇଛି। ଏଥିରେ ତାଲିବାନ ସେନା ଚିତ୍ରାଲ ଜିଲ୍ଲାରେ ପ୍ରବେଶ କରିବା ସହିତ ପାକିସ୍ତାନ ସେନାକୁ କବ୍ଜା କରିଥିବା ଦେଖିବାକୁ। ତେବେ ପାକିସ୍ତାନ ସେନା ପକ୍ଷରୁ ଟିଟିପିର ଦାବିକୁ ଖଣ୍ଡନ କରାଯାଇଛି। ଆତଙ୍କବାଦୀମାନେ କୌଣସି ଅଞ୍ଚଳ ହଡ଼ପ କରି ନାହାନ୍ତି ବୋଲି ପାକିସ୍ତାନ ସେନା କହିଛି।

ସୂଚନା ଥାଉକି ୨୦୨୨ ନଭେମ୍ବର ମାସରେ ଟିଟିପି ପାକିସ୍ତାନ ସେନା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ପାକିସ୍ତାନକୁ ପରାସ୍ତ କରି ଏଠାରେ ଶରିଆ ନିୟମ ଲାଗୁ କରିବାକୁ ଟିଟିପି କହିଥିଲା। ନିକଟରେ ପାକିସ୍ତାନରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା କନଭୟ ଉପରେ ହେଉ କିମ୍ବା ପୁଲିସ ହେଡ୍‌କ୍ୱାର୍ଟର ଅବା ରାଜନୈତିକ ସମ୍ମିଳନୀରେ ଆତଙ୍କବାଦୀମାନେ ଭୟଙ୍କର ଆତ୍ମଘାତି ବିସ୍ଫୋରଣ କରିଛନ୍ତି। ଶତାଧିକ ଲୋକଙ୍କର ମୃତ୍ୟୁ ବି ହୋଇଛି।  

ପଢ଼ନ୍ତୁ-ଜି-୨୦ ସମ୍ମିଳନୀରେ ଜିନପିଙ୍ଗ ଅନୁପସ୍ଥିତି ନେଇ ଜୟଶଙ୍କରଙ୍କ ପ୍ରତିକ୍ରିୟା, ନୂଆ କଥା ନୁହେଁ, ଭାରତର କୌଣସି ସମସ୍ୟା ହେବନି

ସେପ୍ଟେମ୍ବର ୨ ତାରିଖରେ ଟିଟିପି ସହ ଗୁଳି ବିନିମୟରେ ପାକିସ୍ତାନର ଆର୍ମି ମେଜରଙ୍କ ନିହତ ହୋଇଥିଲା। ଗୁଇନ୍ଦା ସୁଚନା ଅନୁସାରେ, ଆଫଗାନିସ୍ତାନ ବର୍ଡର ଏରିଆକୁ ଲାଗି ଉତ୍ତରପଶ୍ଚିମ ଆଦିବାସୀ ଏରିଆରେ ଟିଟିପିର ଉପସ୍ଥିତି ଖବର ପାଇ ପାକିସ୍ତାନ ସେନା ଅପରେସନ ଆରମ୍ଭ କରିଥିଲେ। ଏଥିରେ ପାକ୍ ମେଜରଙ୍କ ମୃତ୍ୟୁ ହୋଇଛି। ଏହାର ଦୁଇଦିନ ପୂର୍ବରୁ ଖାଇବର ପଖତୁନ୍‌ଖ୍ୱା ଅଞ୍ଚଳରେ ପାକିସ୍ତାନ ସେନା କନଭୟ ଉପରକୁ ଟିଟିପି ଆତ୍ମଘାତୀ ଆକ୍ରମଣ କରିଥିଲା। ଏଥିରେ ୯ ପାକିସ୍ତାନ ସେନା ଯବାନଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.