ନୂଆଦିଲ୍ଲୀ: ଜଣେ ପାକିସ୍ତାନୀ ମହିଳା ଭାରତକୁ ଆସିଲେ। ନକଲି କାଗଜପତ୍ର ଦେଇ ଶିକ୍ଷକ ଚାକିରି କଲେ। ଦିନେ କି ମାସେ ନୁହେଁ, ୯ ବର୍ଷ କାମ କରି ମୋଟା ଅଙ୍କର ଦରମା ବି ନେଉଥିଲେ। ଆଉ ଶେଷରେ ଧରାପଡ଼ିବା ପରେ ବାନ୍ଧିଛି ପୋଲିସ୍। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲିରେ। ଯେଉଁଠାରେ ଜଣେ ପାକିସ୍ତାନୀ ନାଗରିକ ମହିଳା ନକଲି ଡକ୍ୟୁମେଣ୍ଟ ତିଆରି କରି ସରକାରୀ ଶିକ୍ଷକଙ୍କ ଚାକିରି ପାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଜଣେ ନକଲି ପ୍ରମାଣପତ୍ର ମାଧ୍ୟମରେ ମୌଳିକ ଶିକ୍ଷା ବିଭାଗରେ ସହକାରୀ ଶିକ୍ଷକଙ୍କ ଚାକିରି ପାଇଥିବା ଜଣେ ପାକିସ୍ତାନୀ ମହିଳାଙ୍କ ବିରୋଧରେ ବରେଲି ଜିଲ୍ଲାର ଫତେହଗଞ୍ଜ ପଶ୍ଚିମ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ବରେଲି ଅତିରିକ୍ତ ପୋଲିସ ଅଧୀକ୍ଷକ (ଉତ୍ତର) ମୁକେଶ ଚନ୍ଦ୍ର ମିଶ୍ର ଶୁକ୍ରବାର କହିଛନ୍ତି ଯେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ଫତେହଗଞ୍ଜ ପଶ୍ଚିମ ପୋଲିସ ଷ୍ଟେସନରେ ପାକିସ୍ତାନୀ ମହିଳା ଶୁମାଇଲା ଖାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ମୁକେଶ ମିଶ୍ର କହିଛନ୍ତି ଯେ ନକଲି ପ୍ରମାଣପତ୍ର ଜରିଆରେ ପ୍ରାଥମିକ ଶିକ୍ଷା ବିଭାଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଧୋପୁରରେ ସହକାରୀ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ନିଯୁକ୍ତି ସମୟରେ ଶୁମାଇଲା ଖାନ ରାମପୁରର ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ସଦରଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ଆବାସିକ ପ୍ରମାଣପତ୍ର ଉପସ୍ଥାପନ କରିଥିଲେ। ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ସଦର, ରାମପୁର ନିଜେ ରିପୋର୍ଟ ଦେଇଛନ୍ତି ଯେ ଏହି ପ୍ରମାଣପତ୍ରଟି ନକଲି, ତ୍ରୁଟିପୂର୍ଣ୍ଣ ଏବଂ ଶୁମାଇଲା ଖାନ ପ୍ରକୃତରେ ଜଣେ ପାକିସ୍ତାନୀ ନାଗରିକ। ସେ ତଥ୍ୟ ଲୁଚାଇବାବେଳେ ନକଲି ଆବାସିକ ପ୍ରମାଣପତ୍ର ମାଧ୍ୟମରେ ଏହି ଚାକିରି ପାଇଥିଲେ।
ବ୍ଲକ ଶିକ୍ଷା ଅଧିକାରୀ (ଫତେହଗଞ୍ଜ ପଶ୍ଚିମ) ଭାନୁ ଶଙ୍କର କହିଛନ୍ତି ଯେ ଶୁମାଇଲା ଖାନଙ୍କୁ ନକଲି ଦଲିଲ ସହିତ ୨୦୧୫ରେ ପ୍ରାଥମିକ ବିଦ୍ୟାଳୟ ମାଧୋପୁରରେ ସହକାରୀ ଶିକ୍ଷକ ପଦରେ ନିଯୁକ୍ତ କରାଯାଇଥିବା ଅଭିଯୋଗ ହୋଇଥିଲା। ସେ କହିଛନ୍ତି ଯେ ଏହି ନିଯୁକ୍ତି ପାଇଁ ଶୁମାୟଲା ଉପସ୍ଥାପନ କରିଥିବା ପ୍ରମାଣପତ୍ରର ସତ୍ୟତା ଉପରେ ପ୍ରଶ୍ନ ଉଠିଛି। ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ଯେ ତଥ୍ୟ ଲୁଚାଇ ଆବାସିକ ପ୍ରମାଣପତ୍ର ପ୍ରସ୍ତୁତ କରିଛନ୍ତି।
ତଦନ୍ତ ସମୟରେ, ରାମପୁରର ସବ୍-କଲେକ୍ଟର ସାଦରଙ୍କ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ଶୁମାୟଲା ଖାନ ଭୁଲ ତଥ୍ୟ ଦେଇ ସାଧାରଣ ଆବାସିକ ପ୍ରମାଣପତ୍ର ପାଇଛନ୍ତି। ଏହି ଆଧାରରେ ତାଙ୍କ ପ୍ରମାଣପତ୍ର ବାତିଲ କରାଯାଇଥିଲା। ଶିକ୍ଷା ବିଭାଗ ସଂପୃକ୍ତ ଶିକ୍ଷଙ୍କଠାରୁ ଅନେକ ଥର ସ୍ପଷ୍ଟୀକରଣ ମାଗିଥିଲେ ଏବଂ ପ୍ରତ୍ୟେକ ଥର ପ୍ରମାଣପତ୍ରଟି ନକଲି ବୋଲି ସ୍ପଷ୍ଟ କରାଯାଇଥିଲା।
ମୁକେଶ ମିଶ୍ର କହିଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁମାୟଲା ଖାନଙ୍କୁ ୩ ଅକ୍ଟୋବର ୨୦୨୪ରେ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ପଦବୀରୁ ହଟାଇ ଦିଆଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଫତେହଗଞ୍ଜ ପଶ୍ଚିମ ବ୍ଲକ ଶିକ୍ଷା ଅଧିକାରୀ ଭାନୁ ଶଙ୍କର ଏହି ଘଟଣାରେ ଫତେହଗଞ୍ଜ ପଶ୍ଚିମ ପୋଲିସ ଷ୍ଟେସନରେ ଏତଲା ଦାୟର କରିଥିଲେ।