ଡିଡିହାଟ ୧୪।୪: ବାବା ରାମଦେବଙ୍କ ସମସ୍ୟା କମ ହେବାର ନାଁ ନେଉନି। ସୁପ୍ରିମକୋର୍ଟରେ ଭ୍ରମାତ୍ମକ ବିଜ୍ଞାପନ ମାମଲାର ଶୁଣାଣି ଚାଲିଥିବା ବେଳେ ପତଞ୍ଜଳି ମହୂ ସାମ୍ପଲ ଯାଞ୍ଚରେ ଫେଲ ହୋଇଛି। ଏହା ପରେ କମ୍ପାନୀ ଉପରେ ୧ ଲକ୍ଷ ଟଙ୍କା ଜରିମନା ହୋଇଛି। ପାଖାପାଖି ୪ ବର୍ଷ ପୂର୍ବେ ଏହି ସାମ୍ପଲ ପିଥୋରାଗଡ଼ ଜିଲ୍ଲା ଡିଡିହାଟ ସ୍ଥିତ ଏକ ପତଞ୍ଜଳି କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ସଂଗୃହୀତ ନମୁନାକୁ ଯାଞ୍ଚ ନିମନ୍ତେ ରୁଦ୍ରପୁର ଲ୍ୟାବକୁ ପଠାଯାଇଥିଲା।
ଲ୍ୟାବ ପରୀକ୍ଷଣରେ ମହୂ ନମୁନା ବିଫଳ ହୋଇଛି। ମହୂରେ ସୁକ୍ରୋଜ ମାତ୍ରା ୨ଗୁଣରୁ ବି ଅଧିକ ଥିଲା। ମାମଲାରେ ନ୍ୟାୟ ନିର୍ଣ୍ଣାୟକ ଅଧିକାରୀ ୧୨ ଏପ୍ରିଲ ଶୁକ୍ରବାର ଡିଡିହାଟ ବିକ୍ରେତା ଓ ରାମନଗର ଡିଷ୍ଟ୍ରିବ୍ୟୁଟର କମ୍ପାନୀ ୧ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜୁଲାଇ ୨୦୨୦ରେ ଖାଦ୍ୟ ବିଭାଗ ଡିଡିହାଟସ୍ଥିତ ଗୌରବ ଟ୍ରେଡିଂ କମ୍ପାନୀରୁ ପ୍ୟାକ୍ଡ ପତଞ୍ଜଳି ମହୂର ସାମ୍ପଲ ସଂଗ୍ରହ କରିଥିଲେ। ଏହାକୁ ଯାଞ୍ଚ ନିମନ୍ତେ ରୁଦ୍ରପୁର ଲ୍ୟାବକୁ ପଠାଯାଇଥିଲା।
ଲ୍ୟାବ ପରୀକ୍ଷଣରେ ମହୂରେ ସୁକ୍ରୋଜ ମାତ୍ରା ଧାର୍ଯ୍ୟ ସୀମା ୫ ପ୍ରତିଶତରୁ ଅଧିକ ପାଖାପାଖି ୧୧.୧ ପ୍ରତିଶତ ଥିଲା। ନଭେମ୍ବର ୨୦୨୧ରେ ଖାଦ୍ୟ ବିଭାଗ ବିକ୍ରେତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ଏପ୍ରିଲ ୧୨ ତାରିଖ ଦିନ ରାୟ ଦେଇଛନ୍ତି। ଯେଉଁଥିରେ ନ୍ୟାୟ ନିର୍ଣ୍ଣାୟକ ଅଧିକାରୀ ତଥା ଏଡିଏମ ଡା.ଏସ.କେ.ବର୍ଣ୍ଣୱାଲ ବିକ୍ରେତା ଗୌରବ ଟ୍ରେଡିଂ ଉପରେ ୪୦ ହଜାର ଟଙ୍କା ଓ ସୁପରଷ୍ଟକିଷ୍ଟ କାହ୍ନାଜୀ ଡିଷ୍ଟ୍ରିବ୍ୟୁଟର ଉପରେ ୬୦ ହଜାର ଟଙ୍କାର ଜରିମନା ଲଗାଇଛନ୍ତି।