ଅଟକି ରହିଛି ଆଳୁ ଗାଡି, ରାଜ୍ୟରେ ବଢିଲା ଦର

Published By : Prameya-News7 Bureau | November 30, 2024 IST

ଭୁବନେଶ୍ୱର/କଟକ,୩୦/୧୧: ପଶ୍ଚିମବଙ୍ଗରେ ଅଟକି ରହିଛି ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି । ଗତ ଦୁଇଦିନ ବିତିଗଲାଣି ସେଠାରୁ ଆଳୁ ଆସିପାରିନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି । ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ  ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲା । 

ଦିନକ ତଳେ ଯେଉଁ ଆଳୁ ୩୫ଟଙ୍କାରେ ବିକ୍ରି ହେଉଥିଲା ଆଳୁ ଗାଡ଼ି ଆସି ପାରୁନି ଖବର ବ୍ୟାପିବା କ୍ଷଣି ହଠାତ୍‌ ୫ଟଙ୍କା ବଢ଼ିଯାଇଛି । ସେହିପରି କଟକରେ ଆଳୁ ହୋଲସେଲ୍‌ ମୂଲ୍ୟ କିଲୋ ପିଛା ୩୨ ଟଙ୍କା ରହିଥିବା ବେଳେ ଧଡ଼ା(୩କିଲୋ) ୯୬ ଟଙ୍କା ପଡୁଛି । କିନ୍ତୁ ଖୁଚୁରା ବ୍ୟବସାୟୀ ଧଡ଼ା ପିଛା ୧୨୦ରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଶୁକ୍ରବାର ସକାଳେ ଛତ୍ରବଜାର ଆସି ହୋଲ୍‌ସେଲ୍‌ ବ୍ୟବସାୟୀଙ୍କ ସହ  ଆଲୋଚନା କରିଥିଲେ । 

ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଏହି ସ୍କ୍ୱାଡ୍‌  କେତେ ଷ୍ଟକ୍‌ ରହିଛି, କେତେ ଷ୍ଟକ୍‌ ରହିପାରିବ,  କେତେ ଆମଦାନୀ ହେବାର ସମ୍ଭାବନା ରହିଛି,  ସ୍ଥିତି ମୁକାବିଲା ପାଇଁ ବିକଳ୍ପ ବ୍ୟବସ୍ଥା କ’ଣ କରାଯାଇପାରିବ ସେ ପ୍ରସଙ୍ଗରେ ବ୍ୟବସାୟୀଙ୍କ  ସହ ଆଲୋଚନା କରିଥିଲେ । ଅଧିକ ମୂଲ୍ୟ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଖୁଚୁରା ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି । ଏବେ ସୁଦ୍ଧା ଛତ୍ରବଜାରର କୌଣସି ହୋଲସେଲ୍‌ ବ୍ୟବସାୟୀ ଉତ୍ତରପ୍ରଦେଶ  ଆଳୁ ପାଇଁ ବରାଦ ଦେଇନାହାନ୍ତି । 

ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ତେବେ ଆସନ୍ତା ସପ୍ତାହରୁ ବାଧ୍ୟ ହୋଇ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ବରାଦ ଦିଆଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  କହିଛନ୍ତି, ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି । ତେଣୁ ଦର ବୃଦ୍ଧି ହେବନି ।  ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ  ସୁଧାକର ପଣ୍ଡା କହିଛନ୍ତି, ଉତ୍ତର ପ୍ରଦେଶରୁ ୫ ଟ୍ରକ୍‌ ଆଳୁ ଆସିଛି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ହୋଇଛି । 

ସବୁ ବଜାରକୁ ଆଳୁ ଯୋଗାଣ ହୋଇପାରିନି । ଆଳୁ ସମସ୍ତଙ୍କୁ ମିଳିବା ଦରକାର । ତେବେ ଯାଇ ଦର ନିୟନ୍ତ୍ରଣରେ ରହିବ । ସରକାର ଏନେଇ ଦୃଷ୍ଟି ଦେଇ ଅଧିକ ଆଳୁ ଗାଡ଼ି ମଗାନ୍ତୁ ।  କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି  ଶକ୍ତିଶଙ୍କର ମିଶ୍ର କହିଛନ୍ତି, ସ୍ଥିତି ଠିକ୍‌ ଅଛି । ପ୍ରକାଶ ଥାଉକି, ଭୁବନେଶ୍ୱର ଓ ଉପକଣ୍ଠ  ଅଞ୍ଚଳର ଚାହିଦା ମେଣ୍ଟାଇବାକୁ ଦୈନିକ ୩ ଶହ ଟନ୍‌ ଆଳୁ ଦରକାର । ସେହି ଅନୁସାରେ, ଆଳୁ ଆସି କୁବେରପୁରୀରେ ମହଜୁଦ ରହେ । ହେଲେ ଗାଡ଼ି ବନ୍ଦ ଯୋଗୁ ସମସ୍ୟା ଆରମ୍ଭ ହୋଇଯାଇଛି । 

ପାଇକାରୀ ଦର ୩୨ରୁ ୩୩ଟଙ୍କା ଥିବା ବେଳେ ଖୁଚୁରା ଦର ବଢ଼ିଚାଲିଛି । ଅପରପକ୍ଷେ, ପଶ୍ଚିମବଙ୍ଗ  ସରକାର ଗାଡ଼ି ଅଟକାଇଥିବା ବେଳେ  ବେପାରୀମାନେ ପୁଣି ଗଳାବାଟରେ ଆଳୁ  ଆଣିଛନ୍ତି । ବାଲେଶ୍ୱର-ପଶ୍ଚିମବଙ୍ଗ ସୀମାରୁ  ଗାଡ଼ି ବାହାରି ଭୋଗରାଇ ଓ ଜଳେଶ୍ୱରର  ବିଭିନ୍ନ ଗାଁ ଦେଇ ଓଡ଼ିଶାକୁ ଆସୁଥିବା ଖବର  ମିଳିଛି । ଏହିସବୁ ରାସ୍ତା ଦେଇ କଟକ ଛତ୍ରବଜାରକୁ ୩ ଗାଡ଼ି ଆଳୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.