ଖେଳାଳିଙ୍କ ଉପରେ ବଡ଼ ଆକ୍ସନ ନେବାକୁ ଯାଉଛି PCB, ବିଶ୍ୱକପରେ ଲିଗ୍ ପର୍ଯ୍ୟାୟରୁ ବାହାରିବା ପରେ କଟିବ ଦରମା

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ପାକିସ୍ତାନ ଟିମ୍ ଟି-୨୦ ବିଶ୍ୱକପ ୨୦୨୪ରେ ଗ୍ରୁପ ପର୍ଯ୍ୟାୟରୁ ବାହାର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆମେରିକା ଏବଂ ଆୟରଲାଣ୍ଡ ମଧ୍ୟରେ ଫ୍ଲୋରିଡାରେ ଜୁନ୍ ୧୪ରେ ମୁକାବିଲା ହେବାର ଥିଲା, କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ କରାଯାଇଥିଲା । ଯାହାପରେ ଆମେରିକା ଟିମ୍ ସୁପର-୮ରେ ପ୍ରବେଶ କରିଥିବା ବେଳେ ପାକିସ୍ତାନର ଯାତ୍ରା ଗ୍ରୁପ୍ ପର୍ଯ୍ୟାୟରୁ ଶେଷ ହୋଇଛି । ଚଳିତ ୱାର୍ଲଡ କପରେ ପାକିସ୍ତାନ ଏବେ କେବଳ ଆୟରଲାଣ୍ଡ ବିପକ୍ଷରେ ଗୋଟିଏ ମୁକାବିଲା ଖେଳିବ । ପ୍ରଥମ ଦୁଇଟି ମୁକାବିଲାରେ ପାକିସ୍ତାନକୁ ମିଳିଥିବା ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତା ଦେଖାଇଛି । ଏବେ ଟିମର ଖରାପ ପ୍ରଦର୍ଶନକୁ ଦେଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବେ ବଡ଼ ନିଷ୍ପତ୍ତି ନେଇପାରେ, ଯେଉଁଥିରୁ ଗୋଟିଏ ଖେଳାଳିଙ୍କ ଦରମା କାଟିବା ରହିଛି ।

ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନ ଟିମ୍ ଭାରତ ସହ ଗ୍ରୁପ୍ ଏ’ରେ ରହିଛି । ଗ୍ରୁପରୁ ଏହି ଦୁଇ ଟିମ୍ ସୁପର-୮କୁ ଯିବେ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପାକିସ୍ତାନର ଯାତ୍ରା ଲିଗ୍ ପର୍ଯ୍ୟାୟରେ ହିଁ ଶେଷ ହେଉଛି । ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଟିମର ନୈରାସ୍ୟଜନକ ପ୍ରଦର୍ଶନରେ ସମାଲୋଚନାର ସାମନା କରୁଛି । ଅନ୍ୟପଟେ ସେଣ୍ଟ୍ରାଲ ଚୁକ୍ତିରେ ସାମିଲ ଖେଳାଳିଙ୍କ ଦରମାର ସମୀକ୍ଷା କରିବା ସହ ସେମାନଙ୍କ ଦରମା ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇପାରେ । ପିସିବିର ବିଶ୍ୱସନୀୟ ସୂତ୍ର ଅନୁସାରେ କିଛି ଅଧିକାରୀ ଏବଂ ପୂର୍ବତନ ଖେଳାଳି ପିସିବି ଅଧ୍ୟକ୍ଷ ମୋହସିନ ନକଭୀଙ୍କୁ କେନ୍ଦ୍ରୀୟ ଚୁକ୍ତିର ସମୀକ୍ଷା ପାଇଁ ପରାମର୍ଶ ଦେଇଛନ୍ତି । ପିସିବି ଅଧ୍ୟକ୍ଷ ଯଦି ଟିମର ଖରାପ ପ୍ରଦର୍ଶନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ ଖେଳାଳିଙ୍କ ଦରମା କାଟ୍ ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.