ନୂଆଦିଲ୍ଲୀ: ଦୁଇ ଦିନିଆ ଆମେରିକା ଗସ୍ତରେ ନରେନ୍ଦ୍ର ମୋଦି। ଓ୍ବାଶିଂଟନ ଡିସିରେ ପହଞ୍ଚିଲେ ଭାରତୀୟ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରେ ହ୍ବାଇଟ୍ ହାଉସ୍ ପକ୍ଷରୁ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରିବେ ସାକ୍ଷାତ । ଦୁଇ ରାଷ୍ଟ୍ର ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ରାଜନୈତିକ, ପ୍ରତିରକ୍ଷା, ବ୍ୟବସାୟିକ, ଉର୍ଜା ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଁ ଉଭୟ ରାଷ୍ଟ୍ରର ନେତା କଥା ହେବେ । ଏହାଛଡ଼ା ଏହି ଦ୍ବିପାକ୍ଷିକ ଆଲୋଚନାରେ ଆତଙ୍କବାଦ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ଚୀନ୍, H1B ଭିସା ଏବଂ ଗ୍ୟାଙ୍ଗଷ୍ଟର ଭଳି ମୁଦ୍ଦା ଉଠିପାରେ ବୋଲି କୁହାଯାଉଛି ।
ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ପ୍ରଥମ ଆମେରିକା ଗସ୍ତ । ତେଣୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏହାଛଡ଼ା ପିଏମ୍ ମୋଦି ସ୍ପେଶ୍ ଏକ୍ସ ସିଇଓ ତଥା ଅରବପତି ଏଲନ୍ ମସ୍କଙ୍କ ସହିତ ସାକ୍ଷାତ କରିପାରନ୍ତି ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଗୁରୁବାର ଭୋରୁ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓ୍ବାଶିଂଟନ ଡିସି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବଗତ କରାଯାଇଥିଲା । ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଇଣ୍ଟେଲିଜେନ୍ସି ଡାଇରେକ୍ଟର ତୁଲସୀ ଗାବାର୍ଡଙ୍କୁ ସାକ୍ଷାତ କରିଛନ୍ତି । ଆଜି ରାତିରେ ହ୍ବାଇଟ୍ ହାଉସରେ ପହଞ୍ଚିବେ ନରେନ୍ଦ୍ର ମୋଦି । ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ।