ଚେନ୍ନାଇ: ରାମନବମୀ ଅବସରରେ ଭାରତ ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ୍ର ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ସମୁଦ୍ର ମଧ୍ୟରେ ଏହି ବ୍ରିଜ୍ ରାମେଶ୍ବରମକୁ ଭାରତର ମୁଖ୍ୟଭୂମି ସହିତ ସଂଯୋଗ କରୁଛି । ଏହାଛଡ଼ା ପିଏମ୍ ମୋଦି, ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନରେ ତାମିଲନାଡ଼ୁ ପାଇଁ ୮,୩୦୦ କୋଟି ଟଙ୍କାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ କଟାକ୍ଷ କରିଛନ୍ତି ।
ଭାଷା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ:
କେନ୍ଦ୍ର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଭାଷାକୁ ନେଇ ବିବାଦ ଲାଗି ରହିଛି । ରାଜ୍ୟରେ ହିନ୍ଦୀ ବନାମ ତାମିଲ୍ ଭାଷା ହୋଇଛି । ଦେଶର ଅଫିସିଆଲ୍ ଲାଙ୍ଗୁଏଜ୍କୁ ଘୋର୍ ବିରୋଧ କରିଛନ୍ତି ଡିଏମକେ ସରକାର । ସେ ଅଭିଯୋଗ କରିଛନ୍ତି, ହିନ୍ଦୀ ଭାଷା ପାଇଁ ଦେଶର ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକ ନିଜର ଅସ୍ତିତ୍ବ ହରାଉଛନ୍ତି । ତେବେ ଏହି ଭାଷା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡ଼ୁରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ କଟାକ୍ଷ କରିଛନ୍ତି । ପିଏମ୍ ମୋଦି କହିଛନ୍ତି, ତାମିଲନାଡୁର ଅଧିକାଂଶ ନେତା ତାଙ୍କୁ ଚିଠି ଲେଖିଛନ୍ତି, ହେଲେ ସେଥିରେ କୌଣସି ନେତା ତାମିଲ୍ ଭାଷାରେ ହସ୍ତାକ୍ଷର କରିନାହାନ୍ତି । ଯଦି ତାମିଲଭାଷାକୁ ନେଇ ସେମାନଙ୍କର ଟିକିଏ ବି ଗର୍ବ କରୁଥାନ୍ତେ, ତେବେ ସେମାନେ ଉକ୍ତ ଚିଠିରେ ତାମିଲ୍ ଭାଷାରେ ହସ୍ତାକ୍ଷର କରିଥାନ୍ତେ । କେନ୍ଦ୍ର ସରକାର ତାମିଲ ଭାଷା ଏବଂ ତାମିଲ ସଂସ୍କୃତିକୁ ବିଶ୍ବ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।