ପୋଲାଭରମ ପ୍ରକଳ୍ପ ରାଜନୀତି, ଟାର୍ଗେଟ୍ କଲେ ବିଜେଡି-କଂଗ୍ରେସ; ଜବାବ ରଖିଲା ଶାସକ ଦଳ

Published By : Prameya-News7 Bureau | July 30, 2024 IST

ଭୁବନେଶ୍ଵର: ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଶୀଘ୍ର ଶେଷ ପାଇଁ କେନ୍ଦ୍ର ଆର୍ଥିକ ସହାୟତା ଯୋଗାଇଦେବାକୁ ପୂରା ଭରସା ଦେବା ପରେ ତାକୁ ନେଇ ଓଡ଼ିଶାରେ ତେଜିଥିଲା ରାଜନୀତି । ଗତକାଲି ନୀତି ଆୟୋଗ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେରିବା ପରେ ପୋଲାଭରମ୍ ବାବଦରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା କହିଥିଲେ । ଯାହାକୁ ନେଇ ପୁଣି ବିଜେପିକୁ ନିଶାନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଯାହାର ଜବାବ୍ ରଖିଛି ଶାସକ ଦଳ । 

ମାଲକାନଗିରି ମୋଟୁର ଦୁଃଖ ପୋଲାଭରମ୍ । ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପକୁ ନେଇ ଦୀର୍ଘ ବର୍ଷ ହେଲା ସରଗରମ ହୋଇଛି ଓଡ଼ିଶା ରାଜନୀତି । ଏବେ ଯେତେବେଳେ ରାଜ୍ୟରେ ବିଜେପି ସରକାର ହୋଇଛି ଆଉ  ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ପୋଲାଭରମ୍ ପାଇଁ ଆନ୍ଧ୍ରକୁ ସବୁ ପ୍ରକାର ଆର୍ଥିକ ସହଯୋଗ କରିବାକୁ ଘୋଷଣା କରିଛନ୍ତି ସେତେବେଳେ ଏହାକୁ ନେଇ ପୁଣି ତେଜିଛି ରାଜନୀତି । ନିକଟରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ଅବସରରେ ଦିଲ୍ଲୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିବା କଥା ଗତକାଲି ଦିଲ୍ଲୀରୁ ଫେରିବା ପରେ କହିଥିଲେ ମୁଖ୍ୟମନ୍ତ୍ରୀ । 

Also read: ଯୋଗ୍ୟ ହିତାଧିକାରୀ ତାଲିକା ନଦେଇ ପାରିଲେନି, ଫେରିଗଲା ସାଢ଼େ ୬ ଲକ୍ଷ ପକ୍କା ଘର

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଆଜି ପୁଣି ବିଜେପିକୁ ନିଶାନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଜ ମୁହଁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ର ସରକାର ବିହାର ଏବଂ ଆନ୍ଧ୍ରକୁ ଅନୁଦାନ  ଦେଲେ ହେଲେ ଓଡ଼ିଶା କିଛି ପାଇଲା ନାହିଁ । ସେହିଭଳି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପୋଲାଭରମ ପାଇଁ ଟ୍ରିପଲ ଇଞ୍ଜିନ୍ କାମ କରିବା କଥା । 

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପୋଲାଭରମ୍ ପ୍ରକଳ୍ପରେ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରନ୍ତୁ । ମାଲକାନଗିରି ଜିଲ୍ଲାର ଲୋକେ କିଭଳି କ୍ଷତିଗ୍ରସ୍ତ ହେବେନି ସେ ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଅନ୍ତୁ । ସେପଟେ ଏହାର ଜବାବ୍ରେ ମାଲକାନଗିରିର ବିଜେପି ବିଧାୟକ ନରସିଂହ ମାଡ଼କାମୀ କହିଛନ୍ତି ପୋଲାଭରମ୍ ପ୍ରକଳ୍ପ ଦ୍ବାରା ମାଲକାନଗିରି କ୍ଷତିଗ୍ରସ୍ତ ନହେବ ସେଥିପାଇଁ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ।

ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ ଯୋଗୁଁ  ମାଲକାନଗିରି ମୋଟୁ ତହସିଲର ୯ଟି ଗାଁ ମୋଟୁ, ବିନାୟକପୁର, ବାରିବାଞ୍ଛା, ଆଲମା, ମୁରଲିଗୁଡ଼ା, କୋତ୍ତାଗୁଡ଼ା, ରେଡପାଲ, କମଳାପୁର ସହ ପୁଶୁଗୁଡ଼ା ପଞ୍ଚାୟତର ମୋକାନପାଲି ଓ ପେଟା ଗାଁର ପ୍ରାୟ ୩ହଜାର ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଥି ସହ ୫ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହ ୧୦ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବ । ଏମିତିରେ ସେଠାକାର ଲୋକଙ୍କ ଭିତରେ ଚିନ୍ତା ବଢ଼ିଛି । ଦୀର୍ଘ ବର୍ଷ ହେଲା ରାଜ୍ୟ ରାଜନୀତିରେ ହଟ୍ ଟପିକ୍ ରହି ଆସିଛି ପୋଲାଭରମ୍ । ସେପଟେ କିନ୍ତୁ କେନ୍ଦ୍ରର ସହଯୋଗରେ ଆଗେଇ ଚାଲିଛି ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.