ଗୋପାଳପୁର ବନ୍ଦରରେ ବିଦେଶୀଙ୍କୁ ବିକ୍ରି କରୁଥିଲେ ବେଆଇନ ସିମ୍, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | March 21, 2025 IST

ଛତ୍ରପୁର: ବିଦେଶୀଙ୍କୁ ବେଆଇନ ଭାବେ ସିମ୍ ବିକ୍ରି କରୁଥିବା ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି  l ସେମାନଙ୍କ ଠାରୁ ଆମେରିକୀୟ ୨୨ ଡଲାର ଟଙ୍କା ସହ ବିଭିନ୍ନ କମ୍ପାନିର ୭୦ ସିମ୍ ଜବତ କରାଯାଇଛି  l ଗିରଫ ଦ୍ୱୟ ହେଲେ କତୁରୁ ଗ୍ରାମର ଜି.ସାମ୍ବା ଓ ମୋବାଇଲ ଦୋକାନୀ ଏ.କାମେୟା l

ଉଲ୍ଲେଖଯୋଗ୍ୟ, ଗୋପାଳପୁର ବନ୍ଦର ପରିସରରେ ଅନ୍ୟ ଦେଶରୁ ଆସି ଜାହାଜ ଲାଗିଥାଏ । ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ସିମ୍ ଆବଶ୍ୟକ ପଡ଼ିଥାଏ । ତେବେ ବିଦେଶୀ ଲୋକଙ୍କୁ ବେଆଇନ ସିମ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲା ଦୁଇ ଅଭିଯୁକ୍ତ । ଜି. ସାମ୍ବା ମୋବାଇଲ ଦୋକାନୀ ଏ. କାମେୟାଙ୍କ ଠାରୁ ସିମ୍ କିଣି ଗୋପାଳପୁର ପୋର୍ଟର ବିଦେଶୀ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବିକ୍ରି କରୁଥିଲା l ଆର୍ଯ୍ୟପଲ୍ଲୀ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ଦୁଇ ଜଣଙ୍କୁ ଗିରଫ କରିଛି l ତେବେ ସେମାନେ କେତେ ଦିନ ଧରି ଏ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଢ଼େଇ ସୂଚନା ଦେଇଛନ୍ତି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.