ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ନ୍ୟୁଜ୍ କ୍ଲିକ୍ର ସଂସ୍ଥାପକ ପ୍ରବୀର ପୁରକାୟସ୍ତ। ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି। ଚୀନ ସ୍ୱାର୍ଥ ପ୍ରଚାର କରିବାକୁ ନ୍ୟୁଜ୍ କ୍ଲିକ୍କୁ ଟଙ୍କା ମିଳିଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ମଙ୍ଗଳବାର ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ(ୟୁଏପିଏ)ରେ ଗିରଫ କରାଯାଇଛି।
ଦିଲ୍ଲୀ ପୋଲିସ ନ୍ୟୁଜ୍ କ୍ଲିକ୍ ସହ ଜଡ଼ିତ ଅନେକ ସାମ୍ବାଦିକ ଏବଂ କର୍ମଚାରୀଙ୍କ ଘରେ ଚଢ଼ାଉ କରିବା ପରେ ଏହାର ସଂସ୍ଥାପକ ପ୍ରବୀରରଙ୍କୁ ଗିରଫ କରିଥିଲା। ଏହି ଅଭିଯୋଗରେ ୬ ଘଣ୍ଟା ମଧ୍ୟରେ ମୋଟ ୪୬ ଜଣଙ୍କୁ ପୋଲିସ ପଚରାଉଚରା କରିଥିଲା। ନ୍ୟୁଜ୍ କ୍ଲିକ୍ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ପୁରକାୟସ୍ତଙ୍କ ସହ ଗିରଫ କରାଯାଇଛି।
ଗିରଫ ହେବାର ଗୋଟିଏ ଦିନ ପରେ ବୁଧବାର ପ୍ରବୀରଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ସାତ ପୋଲିସ୍ ହେପାଜତରେ ପଠାଇବା ସହ ଦିନକୁ ଥରେ ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଏଥିସହିତ ପ୍ରବୀର ଓ ଅମିତଙ୍କ ଗରିଫଦାରୀର କପି ପାଇଁ କୋର୍ଟରେ ଆବେଦନ କରିବାରୁ କୋର୍ଟ ପୁଲିସକୁ ଏଫ୍ଆଇଆର୍ କପି ଦେବାକୁ ନୋଟିସ୍ କରିଛନ୍ତି।
ଗିରଫଦାରୀକୁ ନେଇ ନ୍ୟୁଜ୍ କ୍ଲିକ୍ ପକ୍ଷରୁ କୁହାଯାଇଛି ଯେ ଆମକୁ କେଉଁ ଅଭିଯୋଗରେ ଗିରଫ କରାଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ କି ଏଫ୍ଆଇଆର୍ କପି ଦିଆଯାଇ ନାହିଁ। ତେଣୁ ତୁରନ୍ତ ମାମଲାରେ ଏଫ୍ଆଇଆର୍ କପି ଦିଆଯାଉ ବୋଲି ପ୍ରବୀରଙ୍କ ଓକଲି କୋର୍ଟରେ କହିଛନ୍ତି। ଏହାପରେ ସେ ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିପାରନ୍ତି ବୋଲି କୁହାଯାଇଛି।