ଥମୁନି ଜନନୀ ଯନ୍ତ୍ରଣା, ପୁଣି ୩ କି.ମି. ଭାରରେ ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | July 23, 2024 IST

ନାରାୟଣପାଟଣା ୨୩: ଗାଁକୁ ରାସ୍ତା ନଥିବାରୁ ତିନି କି.ମି. ବର୍ଷାରେ ଭିଜିଭିଜି ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ । ଏଭଳି ଘଟଣା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତର ଡକରୀ ଗାଁରେ ଘଟିଛି । 

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ମୁଖ୍ୟ ଦପ୍ତରଠାରୁ ତିନି କି.ମି. ଦୂରରେ ଅବସ୍ଥିତ ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଯେଉଁ ମାଟି ରାସ୍ତାଟି ଅଛି ବର୍ଷା ଦିନ ଆସିଗଲେ ତାହା ନ କହିବା ଭଲ I ଗତ କିଛି ଦିନ ହେବ ବର୍ଷା ଲାଗିରହୁଥିବାରୁ  କାଦୁଅ ପଚପଚ ଜଙ୍ଗଲ ରାସ୍ତାରେ ଜରି ଘୋଡେ଼ଇ ବାଉଁଶ ଠେଙ୍ଗା ଭାରରେ କାନ୍ଧରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ତିନି କି.ମି. ଅତିକ୍ରମ କରି ଆସିଲେ ଗର୍ଭବତୀ ମହିଳା । ଡୋକରୀଘାଟି ଗାଁର ରମେଶ ତାଡିଙ୍ଗିଙ୍କ ସ୍ତ୍ରୀ ମଙ୍ଗଳବାର ସକାଳୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ କାଦୁଅ ପଚପଚ ରାସ୍ତାରେ ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବ ହୋଇନଥିଲା ।  ଫଳରେ ଆମ୍ବୁଲାନ୍ସ ତଳଗୁମାଣ୍ଡିରେ ଅଟକି ରହିଥିଲା  କୌଣସି ଉପାୟ ନପାଇ ବାଉଁଶ ଠେଙ୍ଗାକୁ ଭାର କରି ସେଥିରେ ଏକ ଲୁଗା ବାନ୍ଧି ତା ଭିତରେ ପ୍ରସୂତୀଙ୍କୁ ରଖି ଜରି ଘୋଡାଇ ତିନି କି.ମି. ବୋହି ଆଣିଥିଲେ । ଏ ଦୃଶ୍ୟକୁ ଗ୍ରାମବାସୀ ଭିଡିଓ କରି ଭାଇରାଲ କରିଛନ୍ତି I କିପରି ଗର୍ଭବତୀ ବୁହା ହେଉଛନ୍ତି, ଗାଁର ସମସ୍ୟା ବଖାଣିଛନ୍ତି । ସେ ବର୍ତ୍ତମାନ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି I ସରକାର ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି  I

You Can Read:

ଗାଈ ଚରାଇବାକୁ ଯାଇଥିଲେ, ଆକ୍ରମଣ କଲା ଭାଲୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.