ଭଦ୍ରକ ୨୫/୩: ପ୍ରେମ ସଂପର୍କ ପରେ ବିବାହ କରିଥିଲେ ଉଭୟ । ହସଖୁସିରେ ଚାଲିଥିଲା ସଂସାର । ସ୍ତ୍ରୀ ଏବେ ଅଢେଇ ମାସର ଗର୍ଭବତୀ । ହେଲେ ହଠାତ କଣ ହେଲା କେଜାଣି କାହାକୁ ନ ଜଣାଇ କୁଆଡେ ଚାଲିଯାଇଛନ୍ତି ସେ। ନିଖୋଜର ୮ ଦିନ ପରେବି ମିଳୁନି ପତ୍ତା । ଉପାୟ ଶୂନ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛି ସ୍ବାମୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାହାଦଲପୁର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।
ତଥ୍ୟ ମୁତାବକ ବାହାଦଲପୁର ଗାଁର ଗୌରାଙ୍ଗ ଯେନାଙ୍କ ପୁଅ ପ୍ରକାଶ ଜେନା କେନ୍ଦୁଝର ଜିଲ୍ଲା ସୋସୋ ଥାନା ମଉଦା ଗାଁର ମଙ୍ଗୁଳି ଚରଣ ଯେନାଙ୍କ ଝିଅ ମୀରାରାଣୀଙ୍କୁ ଗତ ୫ମାସ ତଳେ ପ୍ରେମ ବିବାହ କରିଥିଲେ l ବିବାହର କିଛି ମାସ ହସ ଖୁସିରେ କଟିଯାଇଥିଲା । ୟା ଭିତରେ ଗର୍ଭବତୀ ହୋଇଥିଲେ ମୀରାରାଣୀ । ସବୁକିଛି ଭଲରେ ଚାଲିଥିଲା । ଗତ ରବିବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ମୀରା କାହାକୁ କିଛି ନଜଣାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି l
ସ୍ଵାମୀଙ୍କ କହିବା କଥା ବିବାହ ସମୟରେ କନ୍ୟାଙ୍କ ପରିବାର ଲୋକେ ରାଜି ନଥିଲେ । ବିରୋଧ କରି ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ l କନ୍ୟାଙ୍କ ପକ୍ଷରୁ ଏତଲା ପାଇ ଭଣ୍ଡାରିପୋଖରୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା l ମାତ୍ର ଯୁବତୀ ଜଣଙ୍କ ନିଜ ଇଚ୍ଛାନୁଯାୟୀ ବିବାହ କରୁଥିବା ପୋଲିସ୍ ସାମ୍ନାରେ ପ୍ରକାଶ କରିବାପରେ ପୋଲିସ୍ ବିବାହରେ କୌଣସି ହସ୍ତକ୍ଷେପ କରିନଥିଲା । ବାହାଘର ମଧ୍ୟ ସଫଳ ହେଲା ଆଉ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l
ହେଲେ କାହିଁକି ହଠାତ୍ ଏମିତି ଘଟିଲା ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ l ମହିଳା ଜଣଙ୍କ ବିଳମ୍ବିତ ରାତିରେ କାହାକୁ କିଛି ନଜଣାଇ ନିଖୋଜ ହେବା ପରେ ସ୍ବାମୀ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନି । ଶେଷରେ ଉପାୟଶୂନ୍ୟ ହୋଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି l ନିଖୋଜର ୮ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସନ୍ଧାନ ମିଳି ପାରିନି ଆଉ ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ।