ମୋଦୀ ସରକାରଙ୍କ ଦ୍ୱାରା ଜଜ୍‌ଙ୍କ ଉପରେ ଚାପ ପଡ଼ୁଛି କି ? ବିବିସିର ପ୍ରଶ୍ନକୁ ପୂର୍ବତନ CJI ଚନ୍ଦ୍ରଚୂଡ଼ଙ୍କ ଜବାବ, ଲୋକସଭା ନିର୍ବାଚନର ଦେଲେ ଉଦାହରଣ

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ: ବିଜେପି ଅଧୀନରେ ଭାରତ ‘ୱାନ୍ ପାର୍ଟି’ ରାଷ୍ଟ୍ରରେ ପରିଣତ ହେଉଥିବା ଅଭିଯୋଗକୁ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ପ୍ରତ୍ୟାଖ୍ୟାନ କରିଛନ୍ତି । ନିଜର ମତକୁ ବଳିଷ୍ଠ କରିବା ପାଇଁ ସେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳର ଉଦାହରଣ ବି ଦେଇଛନ୍ତି । ବିବିସିର ‘ହାର୍ଡଟକ୍’ ସାକ୍ଷାତକାରରେ ପୂର୍ବତନ ସିଜେଆଇ ସାମ୍ୱାଦିକଙ୍କ ଏକ ପ୍ରଶ୍ନର ଜବାବ ଦେଇଛନ୍ତି ।

ସାକ୍ଷାତକାର ବେଳେ ବିବିସି ସାମ୍ୱାଦିକ ପୂର୍ବତନ ସିଜେଆଇଙ୍କୁ ପ୍ରଶ୍ନ କରିଥିଲେ ଯେ ନିଜ କାର୍ଯ୍ୟକାଳ ବେଳେ ବ୍ୟକ୍ତିଗତ ଭାବେ ବିଜେପି ସରକାରଙ୍କଠାରୁ କୌଣସି ରାଜନୈତିକ ଚାପର ସାମନା କରିଥିଲେ କି ? ଏଥିପାଇଁ ସାମ୍ୱାଦିକ ଜଣକ ନ୍ୟୁୟର୍କ ଟାଇମ୍ସର ଏଡିଟୋରିଆଲ୍‌କୁ ଉଲ୍ଲେଖ କରିଥିଲେ । ଏଡିଟୋରିଆଲରେ ବିରୋଧୀଙ୍କ କଥାକୁ ଉଲ୍ଲେଖ କରି କୁହାଯାଇଥିଲା ଯେ ଭାରତ ୱାନ୍ ପାର୍ଟି ଦେଶ ଆଡ଼କୁ ବଢୁଛି ଏବଂ ନିଜ ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟକୁ ପ୍ରଭାବିତ କରୁଛି ।

ପୂର୍ବତନ ସିଜେଆଇ ନ୍ୟୁୟର୍କ ଟାଇମ୍ସର ପ୍ରକାଶନକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହ ଏହା ଏଥିରେ ଆଦୌ ସତ୍ୟତା ନାହିଁ ବୋଲି କହିଥିଲେ । ଏହାସହ କହିଥିଲେ-୨୦୨୪ ସାଧାରଣ ନିର୍ବାଚନ ଦେଶର ଜନତାଙ୍କ ଶକ୍ତିକୁ ପ୍ରମାଣିତ କରିଛି । ଏହାସହ ଆଞ୍ଚଳିକ ରାଜନୀତିର ଗୁରୁତ୍ୱକୁ ଦର୍ଶାଇଛି । ପୂର୍ବ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, 'ଯଦି ଆପଣ ଭାରତର ରାଜ୍ୟଗୁଡ଼ିକୁ ଦେଖିବେ, ଯେଉଁଠାରେ ଆଞ୍ଚଳିକ ଆକାଂକ୍ଷା ଏବଂ ପରିଚୟ ସାମ୍ନାକୁ ଆସିଛି, ଏବଂ ଭାରତରେ ଆମର ଅନେକ ରାଜ୍ୟ ଅଛନ୍ତି... ଯେଉଁଠି ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଅଛନ୍ତି ସେମାନେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେହି ରାଜ୍ୟଗୁଡ଼ିକୁ ଶାସନ କରୁଛନ୍ତି ।' 

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ପ୍ରଶ୍ନରେ ପୂର୍ବତନ ସିଜେଆଇ କହିଥିଲେ ଯେ ସର୍ବୋଚ୍ଚ ଅଦାଲତ ପରେ ସେହି ମାମଲା ଉପରେ ରୋକ୍ ଲଗାଇଥିଲେ । ସେ କହିଥିଲେ, 'ଆପଣ ବାସ୍ତବତାକୁ ଦେଖିବେ ଯଦି ଭାରତରେ ଟ୍ରାଏଲ୍ କୋର୍ଟଙ୍କ କୌଣସି ରାୟ ଅଛି, କିନ୍ତୁ ସେହି ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖନ୍ତି, ତେବେ ଆପଣ ଯେଉଁ ରାଜନୈତିକ ନେତାଙ୍କ କଥା କହୁଛନ୍ତି ସେ ସଂସଦରେ ତାଙ୍କର କାର୍ଯ୍ୟକଳାପ ପୁଣି ଆରମ୍ଭ କରିପାରିବେ ।' 

ପୂର୍ବତନ ସିଜେଆଇ ଜାମିନ ପାଇଥିବା ଲୋକଙ୍କ ସଂଖ୍ୟା ଉଲ୍ଲେଖ କରି ଏହା ବି କହିଥିଲେ ଯେ ବ୍ୟକ୍ତିଗତ ସ୍ୱାଧୀନତାକୁ ବଜାୟ ରଖିବେ ବୋଲି ଭାରତରେ କୋର୍ଟଗୁଡ଼ିକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଗଣେଷ ଚତୁର୍ଥୀରେ ତାଙ୍କ ଘରକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଉପରେ ବି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସାମ୍ୱିଧାନିକ କାର୍ଯ୍ୟକାଳରେ ପ୍ରାରମ୍ଭିକ ଶିଷ୍ଟାଚାରଠାରୁ ଅଧିକ କିଛି କରାନଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ଏବଂ ପରେ ବି ସୁପ୍ରମକୋର୍ଟ ସରକାରଙ୍କ ବିରୋଧରେ ଅନେକ ରାୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.