ବର୍ଷକରେ ବଦଳିଗଲା ରାହୁଲ ଗାନ୍ଧିଙ୍କ ବଙ୍ଗଳା, ଜାଣନ୍ତୁ ତାଙ୍କର ଏବେକାର ନୂଆ ଠିକଣା

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଠିକଣା ଦିଲ୍ଲୀରେ ପୁଣି ଥରେ ବଦଳିବାକୁ ଯାଉଛି। କେନ୍ଦ୍ର ସରକାର ରାହୁଲ ଗାନ୍ଧିଙ୍କୁ ସୁନହରୀବାଗ ରୋଡରେ ନୂଆ ବଙ୍ଗଳା ଆଲଟମେଣ୍ଟ କରିଛନ୍ତି। ତେବେ ରାହୁଲ ସେଠାରେ ରହିବେ କି ନା ସେ ନେଇ ଏପର୍ଯ୍ୟନ୍ତ କୌଣସି ସହମତି ଦେଇ ନାହାନ୍ତି। ହେଲେ ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ବଙ୍ଗଳା ପରିଦର୍ଶନ କରିଛନ୍ତି। ସେ ବଙ୍ଗଳା ପରିସର ବୁଲି ଦେଖିବା ସହ ଘର ବିଷୟରେ ସୂଚନା ସଂଗ୍ରହ କରିଛନ୍ତି ଓ ତା ପରେ ଚାଲି ଯାଇଛନ୍ତି। ଏଥିରୁ ବଙ୍ଗଳାକୁ ନେଇ ସହମତି ହୋଇଥିବାର ଅନୁମାନ କରାଯାଉଛି। 

ହାଉସିଂ କମିଟି ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଏହି ବଙ୍ଗଳା ଅଫର କରାଯାଇଛି। ଯଦି ରାହୁଲ ଏହି ବଙ୍ଗଳା ଲାଗି ସହମତ ହୁଅନ୍ତି ତେବେ ବର୍ଷକରେ ଏହା ତାଙ୍କର ତୃତୀୟ ଠିକଣା ହେବ। ଗତବର୍ଷ ମାନହାନୀ ମାମଲାରେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇ ଯାଇଥିଲା। ଏଣୁ ତାଙ୍କୁ ୧୨, ତୁଗଲକ ଲେନ ବଙ୍ଗଳା ଖାଲି କରିବାକୁ ପଡିଥିଲା। ତା ପରଠାରୁ ସେ ତାଙ୍କ ମା ସୋନିଆ ଗାନ୍ଧି ରହୁଥିବା ୧୦ ଜନପଥ ରୋଡ ବଙ୍ଗଳାକୁ ସିଫ୍ଟ ହୋଇଯାଇଥିଲେ। ଏବେ ରାହୁଲଙ୍କୁ ୫, ସୁନହରିବାଗ ଲେନରେ କ୍ୱାର୍ଟର ଦିଆଯାଉଛି। 

ରାହୁଲ ଗାନ୍ଧି ଏବେ ଲୋକସଭାରେ ବିରୋଧୀ ଦଳ ନେତା ଓ ସେ ୫ ଥରର ସାଂସଦ ମଧ୍ୟ। ବିରୋଧୀ ଦଳ ନେତା ଏକ ସାମ୍ବିଧାନିକ ପଦବୀ ଓ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବା କଥା। ଏଣୁ ରାହୁଲ ଗାନ୍ଧିଙ୍କୁ ଟିଏପ୍-ଏ ବଙ୍ଗଳା ଆଲଟ କରାଯିବ। ଶୁକ୍ରବାର ପ୍ରିୟଙ୍କା ଗାନ୍ଧିଙ୍କ ସହିତ ରାହୁଲଙ୍କ ଅଫିସ ରେ କାମ କରୁଥିବା ଲୋକେ ବି ସୁନହରୀବାଗ ରୋଡସ୍ଥିତ ବଙ୍ଗଳା ନମ୍ବର ୫ ଦେଖିବାକୁ ଆସିଥିଲେ। ୭-୮ ବଖରାର ଏହି ବଙ୍ଗଳାରେ ଏକ ବଡ଼ ଲନ ବି ରହିଛି। ଯଦି ରାହୁଲ ଏହି ବଙ୍ଗଳାରେ ରହନ୍ତି ତେବେ ସେ ମୁଖ୍ୟ ନ୍ୟାୟାଧୀଶଙ୍କ ନୂଆ ପଡୋଶୀ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.