ନୂଆଦିଲ୍ଲୀ୨୮।୧୦: ଧନର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନା ନିମନ୍ତେ ପବିତ୍ର ଧନତେରସ ଉତ୍ସବ ପାଳନ କରା ଯାଏ। ଏହି ଦିନରୁ ଦିପୋତ୍ସବର ମଧ୍ୟ ଶୁଭାରମ୍ଭ ହେଉଛି। ଏଣୁ ଏହି ଦିନ ଘରକୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣି ଆଣିବାର ପରମ୍ପରା ରହିଛି। ଯେଉଁଥିରେ ଲୋକେ ସୁନା,ରୂପା, ଗୋଟା ଧନିଆ, ଝାଡୁ ଓ କଉଡି ଆଦି ସାମଗ୍ରୀ କିଣନ୍ତି। ଏଥର ଧନତେରସ ୨୯ ଅକ୍ଟୋବର ମଙ୍ଗଳବାର ପାଳିତ ହେବ। କିନ୍ତୁ ଏହି ଦିନ ରାହୁକାଳ ମଧ୍ୟ ରହୁଛି। ଯେଉଁ ସମୟରେ ଆପଣ ଭୁଲରେ ବି କୌଣସି ସାମଗ୍ରୀ କିଣନ୍ତୁ ନାହିଁ।
ତେବେ ଆସନ୍ତୁ ଜାଣିବା ଧନତେରସରେ କେଉଁ ପର୍ଯ୍ୟନ୍ତ ରାହୁ କାଳ ରହିବ, ଯେଉଁ ସମୟରେ କିଣାକିଣି ନକରିବାକୁ କୁହାଯାଇଛି। ଏ ବର୍ଷ ଧନତେରସ ୨୯ ଅକ୍ଟୋବର ପୂର୍ବାହ୍ନ ୧୧ଟା ୯ ମିନିଟରୁ ଆରମ୍ଭ ହୋଇ ୩୦ ଅକ୍ଟୋବର ମଧ୍ୟାହ୍ନ ୧ଟା ୧୫ ମିନିଟ ପର୍ଯ୍ୟନ୍ତ ରହିବ। ହେଲେ ଏ ବର୍ଷ ଧନତେରସରେ ୧ ଘଣ୍ଟା ୧୫ ମିନିଟ୍ ଲାଗି ରାହୁ କାଳ ମଧ୍ୟ ରହିବ। ଏହି ସମୟରେ ଆପଣ କୌଣସି ବି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ରାହୁକାଳର ପ୍ରାରମ୍ଭ ମଧ୍ୟାହ୍ନ ୨ଟା ୫୦ରୁ ଆରମ୍ଭ ହୋଇ ୪ଟା ୧୪ ମିନିଟରେ ସମାପନ ହେବ। ଏଣୁ ରାହୁକାଳରେ କିଣାକିଣି ଓ ପୂଜାପାଠ ନ କରିବା ଭଲ।
ରାହୁକାଳ ଏପରି ସମୟ ଯେଉଁ ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ମନା କରାଯାଇ ଥାଏ। କୁହାଯାଏ ରାହୁ କାଳରେ କୌଣସି ପ୍ରକାର ଶୁଭ କାମ କରାଗଲେ ଆର୍ଥିକ ହାନି ସହିତ ଘର ଉପରେ ନକରାତ୍ମକ ପ୍ରଭାବ ପଡେ। ଏଥିରେ ଯଦି ଆପଣ ଧନତେରସରେ କିଛି କିଣାକିଣି କରିବାକୁ ଚାହୁଁଥାନ୍ତି ତେବେ ୨ଟ୫୦ ମିନିଟ୍ ରୁ ଆରମ୍ଭ କରି ଅପରାହ୍ନ ୪ଟା ୧୪ ମିନିଟ୍ ପର୍ଯ୍ୟନ୍ତ ଏଥିରୁ ନିବୃତ୍ତ ରୁହନ୍ତୁ। ଏହା ଛଡା ଧନତେରସର ଅନ୍ୟ ସମୟରେ ଆପଣ କିଛିବି କିଣାକିଣି କରିପାରନ୍ତି।