ବର୍ଷାରେ ବେହାଲ ମୁମ୍ୱାଇ: ସ୍କୁଲ୍ ଓ କଲେଜ ବନ୍ଦ, ବିମାନ ଉଡାଣ ବାତିଲ୍

Published By : Prameya-News7 Bureau | July 26, 2024 IST

ମୁମ୍ୱାଇ ୨୬/୦୭: ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋଇଯାଇଛି । ଆଖପାଖ ଅଞ୍ଚଳରେ ମଧ୍ୟ ସ୍ଥିତି ସଂଗୀନ ହୋଇପଡିଛି । ମହାନଗରର ରାସ୍ତା ନଦୀରେ ପରିଣତ ହୋଇଛି । ମୁମ୍ବାଇ ନିକଟସ୍ଥ ପୁଣେରେ ବି ସମାନ ଅବସ୍ଥା । ରାସ୍ତା ସହିତ ଘର ଘରେ ବି ପଶିଛି ପାଣି । 

ପରିସ୍ଥିତି ଏତେ ଖରାପ ଯେ ଆଜି ମୁମ୍ବାଇ ଏବଂ ପୁଣେ ସମେତ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇ ଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର ବେଗରେ ପବନ ମଧ୍ୟ ପ୍ରବାହିତ ହୋଇପାରେ । IMD ଶୁକ୍ରବାର ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି । 

ପ୍ରବଳ ବର୍ଷାର ଚେତାବନୀକୁ ଦୃଷ୍ଟିରେ ରଖି ଆଜି ଥାନାରେ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାନେ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଆଇଏମଡି ଜୁଲାଇ ୨୬ ପର୍ଯ୍ୟନ୍ତ ମୁମ୍ବାଇ, ପାଲଘର, ଥାନେ ଏବଂ ସିନ୍ଧୁଦର୍ଗରେ ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛନ୍ତି । ଗୁରୁବାର ରାତିରେ ମୁମ୍ବାଇ, ପୁଣେ ଏବଂ ପାଲଘରରେ ବର୍ଷା ପ୍ରକ୍ରିୟା ବନ୍ଦ ହୋଇନାହିଁ । ଗୁରୁବାର ଦିନ ମହାରାଷ୍ଟ୍ରର ତିନୋଟି ସହର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । 
ବର୍ଷା ଏବଂ ଆନୁଷଙ୍ଗିକ ଘଟଣା ଯୋଗୁଁ ପୁଣେରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରୁ ତିନି ଜଣ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ଥାନାର ବାରଭି ଡ୍ୟାମରେ ଦୁଇଜଣ ଲୋକ ବୁଡ଼ି ଯାଇଥିଲେ । ମୁମ୍ବାଇ ଏବଂ ପାଲଘରରେ ପ୍ରବଳ ବର୍ଷା ପରେ ରେଡ ଆଲର୍ଟ ଘୋଷଣା କରାଯାଇଛି । 

ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ହେତୁ ଗୁରୁବାର ଦିନ ପ୍ରାୟ ୧୧ ଟି ବିମାନ ବାତିଲ କରାଯାଇଥିଲା । ୧୦ ଟି ବିମାନ ନିକଟସ୍ଥ ବିମାନ ବନ୍ଦରକୁ ପଠାଯାଇଥିଲା । ମୁମ୍ବାଇ ବିମାନବନ୍ଦରରେ ଦୃଶ୍ୟମାନତା ୩୦୦ ମିଟରକୁ ହ୍ରାସ ହେତୁ ରନୱେ କାର୍ଯ୍ୟକୁ ଦୁଇଥର ବନ୍ଦ କରିବାକୁ ପଡିଲା । ମହାନଗର ନିଗମର କିଛି ଅଂଶରେ ଟ୍ରାଫିକ୍ ଜାମ୍ ଏବଂ ଜଳମଗ୍ନ ବହେତୁ ବିମାନ ବନ୍ଦରକୁ ଯାତ୍ରୀମାନଙ୍କୁ ଶୀଘ୍ର ପହଞ୍ଚିବା ପାଇଁ ବିମାନ ସେବା ଏକ ପରାମର୍ଶ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.