ରାମ ମନ୍ଦିର ଉଦ୍‌ଘାଟନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଘରେ ଘରେ ପହଞ୍ଚିବ ପ୍ରସାଦ, ସାରା ଦେଶକୁ ଅଯୋଧ୍ୟାରେ ପରିଣତ କରିବ RSS

Published By : Prameya-News7 Bureau | November 04, 2023 IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ୨୨ରେ ରାମ ମନ୍ଦିର ଉଦ୍‌ଘାଟନ ହେବ । ଏହି ଦିନ ସାରା ଦେଶରେ ଧୁମଧାମରେ ବଡ଼ ଉତ୍ସବ ପାଳନ କରାଯିବ । ଏହି ଅବସରରେ ବହୁ ସଂଖ୍ୟାରେ ଲୋକଙ୍କ ଅଯୋଧ୍ୟା ପହଞ୍ଚିବା ସମ୍ଭାବନା ରହିଛି । ତେବେ ଯେଉଁମାନେ ରାମ ମନ୍ଦିର ଉଦଘାଟନରେ ସାମିଲ ହୋଇ ନପାରିବେ, ସେମାନଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ସାରା ଦେଶକୁ ଅଯୋଧ୍ୟାରେ ପରିଣତ କରିବା ପାଇଁ ଯୋଜନା କରୁଛି ।

ସାରା ଦେଶରେ ଆରଏସ୍‌ଏସ୍‌ର ୪୫ ପ୍ରାନ୍ତୀୟ ଶାଖାରୁ ପ୍ରତ୍ୟେକରୁ ପ୍ରାୟ ଏକ ହଜାର ସ୍ୱୟଂସେବକ ଘର ଘର ଯାଇ ‘ଅକ୍ଷତ (ପବିତ୍ର ପ୍ରସାଦ)’ ବିତରଣ କରିବେ । ଏହାସହ ଲୋକଙ୍କୁ ରାମ ମନ୍ଦିର ଅଭିଷେକ ସମାରୋହ ଉପଲକ୍ଷେ ନିଜ ଘର ନିକଟରେ ଥିବା ମନ୍ଦିରରେ ସମାରୋହରେ ସାମିଲ ହେବା ପାଇଁ ନିବେଦନ କରିବେ । ଆରଏସ୍‌ଏସ୍‌, ବିଶ୍ୱ ହିନ୍ଦୁ ପରିଷଦ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନେତାମାନେ ନିଜ ପ୍ରାନ୍ତ ଶାଖାରେ ବିଜେପି ଓ ସହଯୋଗୀ ସଂଗଠନ ସହ ସମନ୍ୱୟ ସ୍ଥାପନ ଆରମ୍ଭ କରିଛନ୍ତି । ନିକଟରେ ଏପରି ବୈଠକ କାଶୀ, ଅବଧ, ବ୍ରଜ, ମେରଠ ପ୍ରାନ୍ତ ଓ ଉତ୍ତରାଖଣ୍ଡରେ ଆୟୋଜିକ ହୋଇଛି ।

ପଢନ୍ତୁ: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‌ଘାଟନ, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଟ୍ରଷ୍ଟ ସଦସ୍ୟ

ଅଯୋଧ୍ୟାରେ ରାମ ଜନ୍ମଭୂମିରେ ପ୍ରାୟ ୨୦୦ ବିଶ୍ୱ ବିନ୍ଦୁ ପରିଷଦ ଓ ଆରଏସ୍‌ଏସ୍‌ ସ୍ୱୟଂସେବକଙ୍କୁ ପିତଳ କଳସରେ ଅକ୍ଷତ ପ୍ରସାଦ ପଠାଯିବ । ଏହାପରେ ସେମାନେ ନିଜ ପ୍ରାନ୍ତ ମୁଖ୍ୟାଳୟ ପାଇଁ ପ୍ରସ୍ତାନ କରିବେ । ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି, 'ପ୍ରତ୍ୟେକ ପ୍ରାନ୍ତକୁ ୫ କିଜେ ଅକ୍ଷତ ଦିଆଯିବ । ଏହାକୁ ବାଣ୍ଟିବା ପାଇଁ ସେମାନେ ନିଜ ନିଜ ପ୍ରାନ୍ତ ମୁଖ୍ୟାଳୟକୁ ନେବେ । ସେଠାରେ ଏଥିରେ(ଅକ୍ଷତରେ) ଅଧିକ ଚାଉଳ ଓ ହଳଦୀ ମିଶାଇବେ । ଡିସେମ୍ୱର ଶେଷ ସୁଦ୍ଧା ଅକ୍ଷତକୁ ସାରା ଦେଶ ସବୁ ଗାଁରେ ପହଞ୍ଚାଯିବ । ଏହାକୁ ଜାନୁଆରୀ ୧ରୁ ୧୫ ଯାଏ ଘରେ ଘରେ ବଣ୍ଟାଯିବ । ୫ କୋଟି ଘରେ ପ୍ରସାଦ ପହଞ୍ଚାଇବା ଆମ ଲକ୍ଷ୍ୟ ରହିଛି । ସେ କହିଛନ୍ତି ଯେ ୫ ଲକ୍ଷରୁ ଅଧିକ ମନ୍ଦିରରେ କାର୍ଯ୍ୟକ୍ରମ ସହ ସାରା ଦେଶକୁ ଅଯୋଧ୍ୟାରେ ପରିଣତ କରିବାକୁ ଆମ ଯୋଜନା ରହିଛି'।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବେ । ତାଙ୍କ ସହ ୪ ହଜାରରୁ ଅଧିକ ସନ୍ଥ ଓ ୨୫୦୦ ନାଗରିକ ଉପସ୍ଥିତ ରହିବେ । କାଶୀ କ୍ଷେତ୍ରର ପ୍ରାୟ ୨୫୦୦୦ ସ୍ୱୟଂସେବକ ଜାନୁଆରୀ ୩୦ରେ ଆଯୋଧ୍ୟ ଯାତ୍ରା କରିବେ ।

Also Read: ରାମ ମନ୍ଦିରର ଉଦଘାଟନରେ ସାମିଲ ହେବାକୁ ଚାହୁଁଛି ସାଉଥ କୋରିଆ, ରାଜଦୂତ କହିଲେ-ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.