ଭାରତ-ଚୀନ ମଧ୍ୟରେ LAC ଉପରେ କିପରି ହେଲା ସହମତି ? ଏମାନଙ୍କୁ ଶ୍ରେୟ ଦେଲେ ଜୟଶଙ୍କର

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ LACରେ ପାଟ୍ରୋଲିଂ ପାଇଁ ସହମତି ହୋଇଛି । ତେବେ ଏହି ବୁଝମାଣ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଭାରତୀୟ ସେନା ଏବଂ କୂଟନୀତିକୁ ଶ୍ରେୟ ଦେଇଛନ୍ତି । ପୂର୍ବ ଲଦାଖରେ ଡେପସାଙ୍ଗ ଏବଂ ଡେମଚୋକ କ୍ଷେତ୍ରରେ ଦୁଇ ଦେଶର ସୈନ୍ୟ ଅପସାରଣ (ଡିସଏଙ୍ଗେଜମେଣ୍ଟ) ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଅକ୍ଟୋବର ୨୯ ଯାଏ ଶେଷ ହୋଇଯିବ । ଏହାପରେ ଅକ୍ଟୋବର ୩୦-୩୧ରୁ ପାଟ୍ରୋଲିଂ ଆରମ୍ଭ ହେବ ।

ପୁଣେରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଜୟଶଙ୍କର କହିଛନ୍ତି ଯେ ସମ୍ପର୍କ ପୂର୍ବ ସ୍ତରରକୁ ଫେରିବା ପାଇଁ ଏବେ ସମୟ ଲାଗିବ, କାରଣ ବିଶ୍ୱାସ ଏବଂ ସହଯୋଗକୁ ପୁଣି ଥରେ ସ୍ଥାପନ କରିବା ଏକ ଲମ୍ୱା ପ୍ରକ୍ରିୟା । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ନିକଟରେ ରୁଷର କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ହୋଇଛି । ଏଥିରେ ଦୁଇ ଦେଶର ବିଦେଶ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକ କରିବେ ଏବଂ ଆଗାମୀ ରଣନୀତି ଉପରେ ବିଚାର କରିବେ ବୋଲି ନିଷ୍ପତ୍ତି ହୋଇଛି ।

ଜୟଶଙ୍କର କହିଛନ୍ତି, 'ଆଜି ଆମେ ସେହି ସ୍ଥାନରେ ପହଞ୍ଚିଛୁ...ତାର ଏକ କାରଣ ଏହା ଯେ ଆମେ ଆମ ମାଟିରେ ଅଟଳ ରହିଲୁ ଏବଂ ନିଜ କଥା ରଖିବା ପାଇଁ ଦୃଢ ପ୍ରୟାସ କରିଲୁ । ଦେଶର ସୁରକ୍ଷା ପାଇଁ ସେନା ଅତ୍ୟନ୍ତ ଅକଳ୍ପନୀୟ ପରିସ୍ଥିତିରେ (ଏଲଏସିରେ) ରହିଥିଲା । ସେନା ନିଜ କାମ କରିଛି ଏବଂ କୂଟନୀତି ନିଜ କାମ କରିଛି ।' ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ନିଜ ଏକ ଦଶନ୍ଧି ତୁଳନାରେ ଅଧିକ ସଂସାଧନ ଲଗାଇଛି, ଯାହାଦ୍ୱାରା ସେନାକୁ ଅଧିକ ପ୍ରଭାବୀ ଢଙ୍ଗରେ ମୁତୟନ କରାଯାଉଛି ।  

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ୨୦୨୦ରୁ ସୀମାରେ ସ୍ଥିତି ଅସ୍ଥିର ଥିଲା, ଯାହା ଦୁଇ ଦେଶର ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ସେବେଠାରୁ ଭାରତ ଏବଂ ଚୀନ ସମାଧାନ ପାଇଁ ବିଭିନ୍ନ ସ୍ତରରେ କଥାବର୍ତ୍ତା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.