ପାକିସ୍ତାନ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବ ଭାରତ ? ଇସଲାମାବାଦ ଗସ୍ତ ପୂର୍ବରୁ ଜବାବ ଦେଲେ ଜୟଶଙ୍କର

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଅକ୍ଟୋବର ମଧ୍ୟରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ସାମିଲ ହେବା ପାଇଁ ପାକିସ୍ତାନ ଗସ୍ତ କରିବେ । ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସଲାମାବାଦ ଯାତ୍ରା କରିବେ । ଅନ୍ୟପଟେ କାଶ୍ମୀର ପ୍ରସଙ୍ଗ ଏବଂ ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ରହିଛି । ତେବେ ଏହି ଗସ୍ତ ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା ହୋଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ଏହା ଉପରେ ନିଜେ ଜୟଶଙ୍କର ଜବାବ ଦେଇଛନ୍ତି ।

ଇସଲାମାବାଦ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଶନିବାର ସ୍ପଷ୍ଟ କରିଛନ୍ତି ଯେ ଏହି ଗସ୍ତରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ କୌଣସି ବାର୍ତ୍ତା କରିବେ ନାହିଁ । ରାଷ୍ଟ୍ରୀୟ ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, 'ଏହି ଗସ୍ତ ଏକ ବହୁପାକ୍ଷିକ କାର୍ଯ୍ୟକ୍ରମ ପାଇଁ ଅଟେ । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଚର୍ଚ୍ଚା କରିବାକୁ ଯାଉ ନାହିଁ । ମୁଁ ସେଠାକୁ ଏସସିଓର ଭଲ ସଦସ୍ୟ ରୂପେ ଯାତ୍ରା କରିବି ।' ସେ କହିଛନ୍ତି, 'କିନ୍ତୁ, ଆପଣ ଜାଣିଛନ୍ତି, ମୁଁ ଜଣେ ବିନମ୍ର ଏବଂ ସଭ୍ୟ ବକ୍ତି, ଏଥିପାଇଁ ମୁଁ ସେହିପରି ହିଁ ବ୍ୟବହାର କରିବି ।'

ଜୟଶଙ୍କର ପାକିସ୍ତାନ ଉପରେ ପରୋକ୍ଷରେ ହମଲା କରି ଏହାକୁ ଦକ୍ଷିଣ ଏସିୟ କ୍ଷେତ୍ରୀୟ ସହଯୋଗ ସଂଗଠନ (SAARC)ର ଉଦ୍ୟମକୁ ବାଧିତ କରିବା ପାଇଁ ଦାୟୀ କରିଛନ୍ତି । ସେ କହିଛନ୍ତି, 'ବର୍ତ୍ତମାନରେ SAARC ଆଗକୁ ବଢିପାରୁ ନାହିଁ, ଆମେ SAARC ବୈଠକ କରି ନାହୁଁ, ଏହାର ଏକ ସରଳ କାରଣ ହେଉଛି-SAARCର ଜଣେ ସଦସ୍ୟ ଅନ୍ୟ ସଦସ୍ୟଙ୍କ ବିରୋଧରେ ସୀମା ପାର୍ ଆତଙ୍କବାଦକୁ ସମର୍ଥନ କରୁଛି । ଏହା ଏପରି କିଛି, ଯାହାକୁ ବରଦାସ୍ତ କରାଯାଇ ପାରିବ ନାହିଁ ।' ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିସାରିଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ସମର୍ଥନ କରିବା ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଦ୍ୱିପାକ୍ଷିକ ବାର୍ତ୍ତା କରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.