ଭୁଶୁଡ଼ିଲା ସ୍କୁଲ ପାଚେରୀ, ଭାଙ୍ଗିଲା ନେତାଜୀଙ୍କ ପ୍ରତିମୂର୍ତ୍ତି

Published By : Prameya-News7 Bureau | July 16, 2024 IST

କଣାସ ୧୬: ଭୁଶୁଡି଼ ପଡିଲା ସ୍କୁଲ ପାଚେରୀ, ଭାଙ୍ଗିଲା ପ୍ରତିମୂର୍ତ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ସ୍କୁଲଗୁଡ଼ିକର କାନ୍ଥ, ପାଚେରୀ ବିଭିନ୍ନ ଚିତ୍ରରେ ଝଲସୁଥିବା ବେଳେ ଏହା ଉପରେ ଚକାଚକ୍ ଭିତରେ ଫମ୍ପା ବୋଲି ଅଭିଯୋଗ ହୋଇଛି । 

ଧାନକେରା ସ୍ଥିତ କପିଳେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଫାଇଭ୍-ଟି ଯୋଜନାରେ ସାମିଲ୍ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ ୨୦୨୨ ମସିହାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କାମକୁ ୨ ବର୍ଷ ବିତିନ‌ଥିବା ବେଳେ ସୋମବାର ବର୍ଷାରେ ଏହି ସ୍ମାର୍ଟ ସ୍କୁଲ ପାଚେରୀ ଭୁଶୁଡ଼ି ପଡ଼ିଛି I ବିଦ୍ୟାଳୟ ଦକ୍ଷିଣ ଦିଗରେ ଥିବା ପ୍ରାୟ ୮୦ ଫୁଟ ଲମ୍ବା ପାଚେରୀଟି ବର୍ଷାରେ ଭୁଶୁଡି ପଡ଼ିଛି । ପାଚେରୀଟି ଭୁଶୁଡ଼ି ନିକଟରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉପରେ ପଡ଼ିଯିବାରୁ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ପଡିଛି । ବିଦ୍ୟାଳୟ ପରିସରରେ ଏହି ପାଚେରୀ କଡ଼କୁ ଲାଗି ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପାଚେରୀଟି ନେତାଜୀଙ୍କ ପ୍ରତିମୂର୍ତ୍ତି ଉପରେ ପଡ଼ିଯିବାରୁ ଏହା ଭାଙ୍ଗି ତଳେ ପଡ଼ିଥିବା ଦେଖିବାକୁ ମିଳିଛି । 

ଏହି ବିଦ୍ୟାଳୟ ରୂପାନ୍ତରଣ ପାଇଁ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବ୍ଲକ୍ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହି ସ୍କୁଲରେ ପାଖାପାଖି ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟି ସୂଚନା ଦେଇଛି । ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍‌ରୁମ୍ କାନ୍ଥରୁ ପାଣି ଝରୁଛି । ପାଣି ଗଳୁଥିବାରୁ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଥିବା କମ୍ପ୍ୟୁଟର, ପ୍ଲାଇରେ ନିର୍ମିତ ଥାକ, ଚୌକି, ଟେବୁଲ ସହ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନଷ୍ଟ ହେବାର ଆଶଙ୍କା ରହିଛି ।

You Can Read:

ଯୋବ୍ରା ନିକଟ ମହାନଦୀରେ ଯୁବକ ନିଖୋଜ, ମାରିଟାଇମ୍ ମ୍ୟୁଜିୟମ୍ ନିକଟରୁ ମିଳିଲା ବାଇକ୍ ଓ ଚପଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.