ଇନ୍ଦିରାଙ୍କଠାରୁ ପ୍ରିୟଙ୍କାଙ୍କ ଯାଏ, ଦକ୍ଷିଣ ଭାରତ ଏବଂ ଗାନ୍ଧୀ ପରିବାରର ରହିଛି ଖାସ୍ ସମ୍ପର୍କ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ସହା ସେଠାକାର ଲୋକଙ୍କ ସହ ନିଜର ସମ୍ପର୍କକୁ ନେଇ ଅତ୍ୟନ୍ତ ଭାବନାତ୍ମକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୱାୟନାଡର ଲୋକମାନେ ସେହି ସମୟରେ ଉର୍ଜା ଦେଇଥିଲେ ଯେତେବେଳେ ସେ ଖରାପ ସ୍ଥିତି ଦେଇ ଗତି କରୁଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀ ସେଠାରେ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ଲଢିବେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗାନ୍ଧୀ ପରିବାର ଦକ୍ଷିଣ ରାସ୍ତାରେ ରାଜନୀତିକୁ ବଢାଇବା ଉପରେ ନିଷ୍ପତ୍ତି ନେଇଛି । ଏମର୍ଜେନ୍ସି ପରେ ରାୟବରେଲି ଆସନରୁ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ କମବ୍ୟାକ୍ ସହଜ ନଥିଲା ସେହି ସମୟରେ କର୍ଣ୍ଣାଟକର ଚିକମଙ୍ଗଲୁର ଆସନ ତାଙ୍କ ରାଜନୀତିକ ଜୀବନ ପାଇଁ ସଞ୍ଜୀବନୀ କାମ କରିଥିଲା ।

ସେହି ସମୟରେ ୧୯୭୮ ଉପନିର୍ବାଚନ ପାଇଁ ଏକ ସୁରକ୍ଷିତ ଆସନ ଖୋଜା ଯାଇଥିଲା । ଏହି ଆସନ ଥିଲା କର୍ଣ୍ଣାଟକର ଚିକମଙ୍ଗଲୁର । ସେତେବେଳେର ସାଂସଦ ଡିବି ଗୌଡ଼ା ଇସ୍ତଫା ଦେଇ ଆସନକୁ ଖାଲି କରିଥିଲେ, ଏଠାରେ ଇନ୍ଦିରାଙ୍କ ସାମନାରେ ସିଏମ୍ ବୀରେନ୍ଦ୍ର ପାଟିଲଙ୍କ ସହ ଲଢିବାର ଆହ୍ୱାନ ଥିଲା । ତେଣୁ ଇନ୍ଦିରାଙ୍କ ପାଇଁ ଏକ ନାରା ଲେଖାଗଲା । ଏକ୍ ସେରନୀ ଶୋ ଲଙ୍ଗୁର...ଚିକମଙ୍ଗଲୁର, ଚିକମଙ୍ଗଲୁର । ଭାଷାରେ ପଛରେ ରହିବା ସତ୍ତ୍ୱେ ଏହି ନାରା କାମ ଦେଇଥିଲା । କୁହାଯାଉଛି ଯେ ଏହି ଉପନିର୍ବାଚନର ପ୍ରଚାର ପାଇଁ ନିଜେ ଇନ୍ଦିରା ଗାନ୍ଧୀ ୧୭ରୁ ୧୮ ଘଣ୍ଟା ପ୍ରଚାର କରିଥିଲେ । ନିର୍ବାଚନ ଫଳାଫଳ ମଧ୍ୟ ଇନ୍ଦିରାଙ୍କ ସପକ୍ଷରେ ଆସିଲା ଏବଂ ୭୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଲେ । ତାଙ୍କ ବିରୋଧରେ ଲଢୁଥିବା ୨୬ ଜଣ ଅମାନତ ହରାଇଥିଲେ ।

ଅନ୍ୟପଟେ ଦକ୍ଷିଣର ବେଲ୍ଲାରି ଆସନ ସହ ଗାନ୍ଧୀ ପରିବାର ସମ୍ପର୍କ ରହିଛି । ୧୯୯୯ରେ କର୍ଣ୍ଣାଟକର ବେଲ୍ଲାରି ଆସନରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜର ପ୍ରଥମ ନିର୍ବାଚନ ଏହି ଆସନରେ ଲଢିଥିଲେ । ତାଙ୍କ ସାମନାରେ ବିଜେପି ନିଜର ଫାୟାର ବ୍ରାଣ୍ଡ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଓହ୍ଲାଇଥିଲା । ଦୁହିଁଙ୍କ ଲଢେଇ ପାଇଁ ବେଲ୍ଲାରି ଆସନ ରାଷ୍ଟ୍ରୀୟ ରାଜନୀତିରେ ବେଶ ଚର୍ଚ୍ଚିତ ହୋଇଥିଲା । ତେବେ ସୁଷମା ସ୍ୱରଜାଙ୍କୁ ହରାଇବା ପରେ ପରେ ସୋନିଆ ଗାନ୍ଧୀ ବେଲ୍ଲାରି ଆସନ ଛାଡ଼ିଥିଲେ ଏବଂ ଆମେଠିକୁ ନିଜ ପାଖରେ ରଖିଥିଲେ ।

୨୦୧୯ ମସିହାରେ ଆମେଠିରୁ ରାହୁଲ ଗାନ୍ଧୀ ହାରିଥିବା ବେଳେ ୱାୟନାଡରୁ ବିଜୟୀ ହୋଇ ଲୋକସଭା ପହଞ୍ଚିଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୀତିକ ପିଚ୍ ମଧ୍ୟ ଦକ୍ଷିଣ ଭାରତରୁ ପ୍ରସ୍ତୁତ ହେଉଛି । ସେ ୱାୟନାଡରୁ ଲୋକସଭା ଉପନିର୍ବାଚନ ଲଢିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.