ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ଏଥର ସାହିତ୍ୟ ପାଇଁ ୨୦୨୪ ନୋବେଲ ପୁରସ୍କାର ମିଳିଛି। ତାଙ୍କର ଗଭୀର ଭାବାବେଗ ରଖୁଥିବା କାବ୍ୟାତ୍ମକ ଗଦ୍ୟ ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି। ତାଙ୍କ ଲେଖାରେ ଐତିହାସିକ ଆଘାତର ଯନ୍ତ୍ରଣା ଓ ମାନବ ଜୀବନରେ ସରଳତାକୁ ଦର୍ଶାଯାଇଛି। ତାଙ୍କର ଏହି ଭାବପୂର୍ଣ୍ଣ ସାହିତ୍ୟ ପାଇଁ ସ୍ୱିଡିସ ଆକାଡେମୀ ପକ୍ଷରୁ ସାହିତ୍ୟରେ ତାଙ୍କୁ ୨୦୨୪ ନୋବେଲ ପୁରସ୍କାର ଦିଆଯାଇଛି। ନେବେଲ ପୁରସ୍କାରେ ଫଳକ ସମେତ ୧୧ ମିଲିଅନ ସ୍ୱିଡିସ କ୍ରୋନୋର(୧.୧ ମିଲିଅନ ଆମେରିକୀୟ ଡଲାର) ପୁରସ୍କାର ରାଶି ଦିଆଯିବ। ଡିସେମ୍ବର ୧୦ ତାରିଖରେ ହାନ କାଙ୍ଗଙ୍କୁ ଏହି ପୁରସ୍କାର ଦିଆଯିବ।
ହାନ କାଙ୍ଗ ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗ୍ୱାଙ୍ଗଜୁରେ ଜନ୍ମଗ୍ରହଣ କରିଥିଲେ। ସାହିତ୍ୟ ସହିତ ତାଙ୍କ ପୈତୃକ ସମ୍ପର୍କ ରହିଛି। ଅର୍ଥାତ୍ ତାଙ୍କ ବାପା ଜଣେ ପ୍ରଖ୍ୟାତ ଔପନ୍ୟାସିକ। ହାନା କାଙ୍ଗ ୧୯୯୩ରେ 'ସାହିତ୍ୟ ଏବଂ ସମାଜ' ନାମକ ଏକ ମାଗାଜିନର ଶୀତକାଳୀନ ଏଡିସନରେ "ୱିଣ୍ଟର ଇନ ସିଓଲ୍" ନାଁରେ ପାଞ୍ଚଟି କବିତା ପ୍ରକାଶ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ସାହିତ୍ୟିକ ଜୀବନ।
୧୯୯୪ରେ ସେ ରେଡ୍ ଆଙ୍କର ନାଁରେ ପ୍ରଥମ ଉପନ୍ୟାସ ଲେଖିଥିଲେ। ସେହିପରି ୧୯୯୫ରେ ‘ୟେଓସୁ’ ନାମକ ପ୍ରଥମ ଲଘୁ କାହାଣୀ ଲେଖିଥିଲେ। ସେହିପରି ୧୯୯୫ ରେ ସେ ଗଳ୍ପ ସଂକଳନ ‘ଲଭ୍ ଅଫ୍ ୟୋସୁ’ ଲେଖି ଗଦ୍ୟ ରଚନା ଆରମ୍ଭ କରିଥିଲେ।
ତାଙ୍କ ଦ୍ୱାରା ଲିଖିତ ଏକ ଲଘୁ କାହାଣୀ ସଂକଳନ ବ୍ୟତୀତ ଫ୍ରୁଟ୍ସ ଅଫ୍ ମାଇ ୱିମେନ୍(୨୦୦୦), ଫାୟାରା ସାଲାମାଣ୍ଡର(୨୦୧୨), ବ୍ଲାକ ଡିଅର(୧୯୯୮),ୟୋର କୋଲ୍ଡ ହ୍ୟାଣ୍ଡ୍ସ(୨୦୦୨),ଦ ଭେଜିଟେରିଆନ(୨୦୦୭), ବ୍ରିଥ ଫାଇଟିଙ୍ଗ(୨୦୧୦), ଗ୍ରୀକ ଲେସନ୍ସ(୨୦୧୧), ହ୍ୟୁମାନ ଆକ୍ଟସ୍(୨୦୧୪), ଦ ହ୍ୱାଇଟ ବୁକ(୨୦୧୬), ଆଇ ଡୁ ନଟ ବିଡ୍ ଫେରୱେଲ(୨୦୨୧) ଆଦି ଉପନ୍ୟାସ ସେ ଲେଖିଛନ୍ତି। ସେହିପରି ଗୋଟିଏ କବିତା ସଂକଳନ, ଆଇ ପୁଟ ଦ ଇଭନିଂ ଇନ୍ ଦ ଡ୍ରୟର(୨୦୧୩)ରେ ପ୍ରକାଶିତ ହୋଇ ଖୁବ୍ ଲୋକପ୍ରିୟତା ସାଉଁଟିଥିଲା।
ତାଙ୍କର ସଦ୍ୟତମ ଉପନ୍ୟାସ ‘ଆଇ ଡୁ ନଟ ବିଡ୍ ଫେରୱେଲ'କୁ ୨୦୨୩ ମସିହାରେ ଫ୍ରାନ୍ସରେ ମେଡିସିସ୍ ପୁରସ୍କାର ଦିଆଯାଇଥିଲା। ସେହିପରି ୨୦୨୪ ରେ ଏମିଲ୍ ଗୁଇମେଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ୨୦୦୭ ମସିହାର ଉପନ୍ୟାସ ଦି ଭେଜିଟେରିଆନ ପାଇଁ ତାଙ୍କୁ ୨୦୧୬ରେ ବୁକର୍ ପ୍ରାଇଜ୍ ମିଳିଥିଲା।