ରାଜ୍ୟ ପାଖେ ମାଗଣା ଯୋଜନା ପାଇଁ ଟଙ୍କା ଅଛି, ହେଲେ ଜଜ୍‌ଙ୍କୁ ଦରମା ଦେବାକୁ....

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୦୭/୦୧: ଗୋଟିଏ ରାଜ୍ୟର ନୁହେଁ, ଦେଶର ଅନେକ ରାଜ୍ୟ ଏହି ଫ୍ରି ରେବଡି କଲଚର ବଜାୟ ରଖିଛନ୍ତି। ଯାହା ସେମାନଙ୍କୁ ନିର୍ବାଚନରେ ମଧ୍ୟ ଲାଭ ଦିଏ। ଏବେ ଏହି ରେବଡ଼ି କଲଚରକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏହା ସହ ଜିଲ୍ଲା କୋର୍ଟର ଜଜ୍‌ଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରିଛି । ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି । ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି। 

ସୀୂଚନା ଥାଉକି, ଅଲ ଇଣ୍ଡିଆ ଜଜ ଆସୋସିଏସନ ନାମକ ଏକ ସଂଗଠନ ଦ୍ୱାରା ୨୦୧୫ରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗୋବାଇଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହା କହିଛନ୍ତି। କୋର୍ଟ କହିଛନ୍ତି, ର୍ନିବାଚନ ଆସିବା ମାତ୍ରେ 'ଲାଡଲି ବେହେନ' ଭଳି ଯୋଜନା ଘୋଷଣା ହେଉଛି, ଯେଉଁଠାରେ ସରକାର ହିତାଧିକାରୀଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଜଜ୍‌ଙ୍କ ଦରମା ଓ ପେନ୍‌ସନ୍‌ କଥା ଆସିଲେ ସରକାର ଆର୍ଥିକ ସମସ୍ୟା ବାହାନା ଦେଖାଉଛନ୍ତି।

୨୦୧୫ ରେ ଦାଖଲ ହୋଇଥିବା ଏହି ଆବେଦନରେ ବିଚାରପତିଙ୍କ ସ୍ୱଳ୍ପ ବେତନ ଏବଂ ଅବସର ପରେ ଉପଯୁକ୍ତ ପେନସନ ନ ପାଇବା ବିଷୟରେ କୁହାଯାଇଛି। ସାରା ଦେଶରେ ଏ ବାବଦରେ କୌଣସି ନୀତି ନାହିଁ ବୋଲି ମଧ୍ୟ ସନ୍ଦର୍ଭ ଦିଆଯାଇଛି। ଏହି ମାମଲାରେ ସହାୟତା କରିବା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ କେ ପରମେଶ୍ୱରଙ୍କୁ ଆମିକସ କ୍ୟୁରିଆ ଭାବରେ ନିଯୁକ୍ତ କରିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି କହିଛନ୍ତି ଯେ ସରକାର ଦେଇଥିବା ଫ୍ରିବିଜ (ମାଗଣା ଯୋଜନା) ଏକ ସାମୟିକ ବ୍ୟବସ୍ଥା। ଦରମା ଏବଂ ପେନସନ ବୃଦ୍ଧି ଏକ ସ୍ଥାୟୀ ଜିନିଷ। ରାଜସ୍ୱ ଉପରେ ଏହାର ପ୍ରଭାବକୁ ବିଚାର କରିବା ଜରୁରୀ ଅଟେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ତେବେ ନିର୍ବାଚନ ପୂର୍ବରୁ ହିଁ କିଛି ରାଜନୈତିକ ଦଳ ସତ୍ତାକୁ ଆସିଲେ ମହିଳାମାନଙ୍କୁ ପ୍ରତିମାସରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅମ ଆଦମୀ ପାର୍ଟି 'ମହିଳା ସମ୍ମାନ ଯୋଜନା' ଜରିଆରେ ଦିଲ୍ଲୀରେ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି। ସେହିପରି କଂଗ୍ରେସ 'ପ୍ୟାରୀ ଦିଦି ଯୋଜନା' ଜରିଆରେ ପଅତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି।

ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.