RBIଙ୍କ ମୁଦ୍ରାନୀତି ଘୋଷଣା ପରେ ସେୟାର ବଜାରରେ ହ୍ରାସ, ୨୮୦ ପଏଣ୍ଟ ଖସିଲା ସେନସେକ୍ସ

Published By : Prameya-News7 Bureau | February 07, 2025 IST

ମୁମ୍ବାଇ ୭।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୁଦ୍ରାନୀତି ସମୀକ୍ଷା (ଏମପିସି) ବୈଠକର ନିଷ୍ପତ୍ତି ଘୋଷଣା ପରେ ୭ ଫେବୃଆରୀ ଶୁକ୍ରବାର ସେୟାର ବଜାରରେ ହ୍ରାସ ଦେଖା ଯାଇଛି। ଆରବିଆଇ ସୁଧହାର ହ୍ରାସ କରିବା ଯୋଗୁ ସେନସେକ୍ସ ପାଖାପାଖି ୭୮୦ ପଏଣ୍ଟ ହ୍ରାସ ହୋଇଛି। ସେହିପରି ନିଫ୍ଟି ୨୩,୫୦୦ ସ୍ତରରେ କାରବାର କରୁଛି। ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୮ଟି ରେ ହ୍ରାସ ଦେଖାଯାଇଥିବା ବେଳେ ୧୨ଟି ସେୟାରରେ ବୃଦ୍ଧି ଦେଖାଯାଇଛି।

ସେହିପରି ୫୦ ସେୟାରର ନିଫ୍ଟିରେ ୨୫ଟିରେ ହ୍ରାସ ଓ ୨୫ଟିରେ ବୃଦ୍ଧି ଦେଖାଯାଉଛି। ଏନସଏଇ ସେକ୍ଟୋରାଲ ଇଣ୍ଡେକ୍ସରେ ଅଏଲ ଓ ଗ୍ୟାସ୍ କୁ ଛାଡି ସବୁ ଷ୍ଟକସ୍ ବୃଦ୍ଧିରେ କାରବାର କରୁଛନ୍ତି। ନିଫ୍ଟିରେ ପିଏସୟୁ ବ୍ୟାଙ୍କ ଓ ଅଟୋରେ ସବୁଠୁ ଅଧିକ ବୃଦ୍ଧି ଦେଖାଯାଉଛି। ସେୟାର ବଜାର ୬ଫେବୃଆରୀ ଗୁରୁବାର ମଧ୍ୟ ହ୍ରାସରେ ବନ୍ଦ ହୋଇଥିଲା। ସେନସେକ୍ସ ୨୧୩ ପଏଣ୍ଟ ହ୍ରାସ ସହ ୭୮,୦୫୮ରେ ବନ୍ଦ ହୋଇଥିଲା। ଅନ୍ୟପଟେ ନିଫ୍ଟିରେ ମଧ୍ୟ ୯୨ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। 

୩୦ ସେୟାରର ସେନସେକ୍ସରେ ୧୯ଟିରେ ହ୍ରାସ ଦେଖାଯାଇଥିବା ବେଳେ ୧୧ଟିରେ ବୃଦ୍ଧି ଦେଖାଯାଇଥିଲା। ନିଫ୍ଟିର ୫୦ ସେୟାର ମଧ୍ୟରୁ ୩୦ଟିରେ ହ୍ରାସ ଦେଖାଯାଇଥିଲା ଓ ୨୦ଟି ବୃଦ୍ଧିରେ କାରବାର କରିଥିଲେ। ସେକ୍ଟୋରାଲ ଇଣ୍ଡେକ୍ସର କଥା କହିଲେ ନିଫ୍ଟି ରିୟଲିଟିରେ ସବୁଠୁ ଅଧିକ ୨.୧୯ ପ୍ରତିଶତ ଓ କଞ୍ଜ୍ୟୁମର ଡ୍ୟୁରେବଲରେ ୧.୮୨ ପ୍ରତିଶତର ହ୍ରାସ ଦେଖାଯାଇଥିଲା। ଅଟୋ ଏବଂ ଏଫେମସିଜି ୧ ପ୍ରତିଶତ ତଳେ ବନ୍ଦ ହୋଇଥିଲା। ହେଲେ ଫାର୍ମା ଓ ପ୍ରାଇଭେଟ ବ୍ୟାଙ୍କ ସେୟାରରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା। 

ଏସିୟ ବଜାରରେ ଦେଖାଦେଇଛି ହ୍ରାସ
 ଆରବିଆଇଙ୍କ ମୁଦ୍ରାନୀତି ଘୋଷଣା ଯୋଗୁ ଭାରତୀୟ ବଜାର କେବଳ ହ୍ରାସ ଦେଖା ଦେଇଛି ତା ନୁହଁ  ସମଗ୍ର ଏସିଆ ବଜାର ଏବେ ହ୍ରାସ ସମୟ ଦେଇ ଗତି କରୁଛି। ଜାପାନର ନିକ୍କେଇରେ ୦.୪୪ ପ୍ରତିଶତ ଓ କୋରିଆର କୋସ୍ପିରେ ୦.୩୧ ପ୍ରତିଶତ ହ୍ରାସ ରହିଛି। ତେବେ ଚୀନ୍ ର ସାଂଘାଇ କମ୍ପୋଜିଟ୍ ୧.୩୩ ପ୍ରତିଶତ ବୃଦ୍ଧିର ସହ କାରବାର କରୁଛି। 

ଏନଏସଇ ତଥ୍ୟ ଅନୁସାରେ ଫେବୃଆରୀ ୬ ତାରିଖ ଦିନ ବିଦେଶ ନିବେଶକ (ଏଫଆଇଆଇ)୩,୫୪୯.୯୫କୋଟିର ସେୟାର ବିକ୍ରି କରିଛନ୍ତି। ଏହି ସମୟରେ ଘରୋଇ ନିବେଶକ (ଡିଆଇଆଇ) ୨,୭୨୧.୬୬ କୋଟି ଟଙ୍କାର ସେୟାର କିଣିଛନ୍ତି। ଏହି ଦିନ ଆମେରିକାର ଡାଓ ଜୋନ୍ସ ୦.୨୮ ପ୍ରତିଶତ ହ୍ରାସରେ ବନ୍ଦ ହୋଇଛି। ଏସଆଣ୍ଡପି ୫୦୦ ଇଣ୍ଡେକ୍ସ ୦.୩୬ ପ୍ରତିଶତ ବଢି ୬,୦୮୩ରେ ବନ୍ଦ ହୋଇଛି। ନାସଡାକ୍ ଇଣ୍ଡେକ୍ସରେ ୦.୫୧ ପ୍ରତିଶତ ବୃଦ୍ଧି ଦେଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.