ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ବାତ୍ୟା ଦାନାରେ ପ୍ରଭାବିତ ଜିଲ୍ଲାକୁ ସହାୟତା ରାଶି ପଠାଯାଇଛି। ଜିଲ୍ଲାମାନଙ୍କୁ କ୍ଷତିପୂରଣ ରାଶି ଭାବେ ମୋଟ୍ ୪୨୩.୦୫ କୋଟି ଟଙ୍କାର ସହାୟତା ରାଶି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ବାଣ୍ଟିବେ। ଏ ନେଇ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା ପଠାଯିବ ବୋଲି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ। ଆଉ ଠିକ୍ ସମୟରେ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଅନୁଯାୟୀ ୪୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ୭ ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟକ୍ଷତି ଟଙ୍କା ।
ମଙ୍ଗଳବାର ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପହଞ୍ଚିଥିଲା। ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡାନ୍ତ ଆକଳନ ଅନୁଯାୟୀ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କାର କ୍ଷୟକ୍ଷତି ଘଟିଛି । ୧୪ ଜିଲ୍ଲାର ୧୬୬ ବ୍ଲକ୍ ମଧ୍ୟରୁ ୧୩୧ ବ୍ଲକ୍ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ପ୍ରଭାବିତ ହୋଇଥିବା ବେଳେ ୪୧ ଲକ୍ଷ ୪ ହାଜର ଲୋକ ପ୍ରଭାବିତ ହୋଇଛନ୍ତି।
ସେହିପରି ୩,୬୨,୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି । ଫସଲ ପ୍ରଭାବିତ ଅଞ୍ଚଳ ହେଉଛି ୧,୭୨,୩୫୬.୮୧ ହେକ୍ଟର ଜମି । ୮,୨୯୨.୮୨ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ଇନପୁଟ୍ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୮୨ କୋଟି ୯୨ ଲକ୍ଷ ୮୨ ହଜାର ଟଙ୍କାର ଫସଲ ନଷ୍ଟ ହୋଇଛି । ୧୬,୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି ।
କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି । ଏହିସବୁ ବିଭାଗରେ ୫୧୨ କୋଟି ୨୬ ଲକ୍ଷ ୧୬ ହାଜର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୩ କୋଟି ୭୩ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ୍ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି ।