ସତ ହେଲା ବୈଜ୍ଞାନିକଙ୍କ ଭବିଷ୍ୟବାଣୀ ! ହଜ୍‌ ଯାତ୍ରାକୁ ପୂର୍ବରୁ ଦିଆଯାଇଥିଲା ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | June 20, 2024 IST

HT

ନୂଆଦିଲ୍ଲୀ: ସାଉଦି ଆରବରେ ପ୍ରାଣଘାତୀ ହିଟ୍ ଓ୍ୱେଭ୍ ! ୧୦୦୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତୀର୍ଥଯାତ୍ରାକୁ ନେଇ ପୂର୍ବରୁ ଦିଆଯାଇଥିଲା ଚେତାବନୀ। ଇସଲାମର ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଉଥିବା ସହର ମକ୍କାରେ ହଜାରେ ତୀର୍ଥଯାତ୍ରୀଙ୍କ ପ୍ରାଣ ନେଇଛି ହିଟ୍ ଓ୍ୱେଭ୍। ଏହି ତୀର୍ଥଯାତ୍ରା ଲୋକଙ୍କ ଜୀବନ ପ୍ରତି ବିପଦ ଆସିପାରେ ବୋଲି 2024 ପ୍ରାରମ୍ଭରେ ପ୍ରକାଶିତ ଏକ ଷ୍ଟଡିରେ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା। 

ସାଉଦି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ ଯେ ଜଳବାୟୁ ପରିବର୍ତ୍ତନ ହେତୁ ମକ୍କା ଏବଂ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହା ହଜ୍ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। 'ଜର୍ନାଲ୍ ଅଫ୍ ଟ୍ରାଭେଲ୍ ମେଡିସିନ୍'ରେ 'Escalating climate-related health risks for Hajj pilgrims to Mecca' ଶୀର୍ଷକ ଏକ ଆର୍ଟିକିଲରେ କୁହାଯାଇଛି ଯେ ସାରା ବିଶ୍ୱରେ ତାପମାତ୍ରା ବଢୁଛି, ଯେଉଁ କାରଣରୁ ଲୁ’ର ସ୍ଥିତି ଆହୁରି ବିଗିଡିପାରେ। ଏହାକୁ ହିଟ୍ ରିଲେଟେଡ୍ ଇଲନେସ୍ (HRI) ନାମକ ଶବ୍ଦ ଉଲ୍ଲେଖ କରାଯାଇଥିଲା। ଯାହାର ଅର୍ଥ ଗରମ ଜଳବାୟୁ ଥିବା ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ହିଟ୍ ଷ୍ଟ୍ରୋକ୍ର ଆଶଙ୍କା ବଢିଯାଏ।

ଅଧ୍ୟୟନରେ ଜଣାପଡିଛି ଯେ ମକ୍କାରେ ହାରାହାରି ଶୁଖିଲା ଏବଂ ଓଦା ବଲ୍ବ ତାପମାତ୍ରା ଯଥାକ୍ରମେ 0.4 ଡିଗ୍ରୀ ସେଲସିୟସ ଏବଂ ୦.୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। 'ଓଦା-ବଲ୍ବ ତାପମାତ୍ରା' ସାଧାରଣତ ଶୁଷ୍କ ବାୟୁର ତାପମାତ୍ରାକୁ ଆର୍ଦ୍ରତା ସହିତ ମିଶ୍ରଣ କରିଥାଏ। ଏହି ଅବଧି ମଧ୍ୟରେ, ବିଶେଷଜ୍ଞମାନେ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ହିଟ୍ ଷ୍ଟ୍ରୋକ୍ (HS) ଏବଂ ଉତ୍ତାପ କ୍ଳାନ୍ତି (HE) ସହିତ ଉଭୟ ତାପମାତ୍ରାର ଏକ ଗଭୀର ସମ୍ପର୍କ ରହିଛି।

କେବଳ ସେତିକି ନୁହେଁ, ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(MIT)ର ବିଶେଷଜ୍ଞଙ୍କ ଦ୍ୱାରା ୨୦୧୯ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ହ୍ରାସ କରିବାରେ ବିଶ୍ୱ ସଫଳ ହୋଇଥିଲେ ମଧ୍ୟ 2047 ରୁ 2052 ପର୍ଯ୍ୟନ୍ତ ହଜ୍ ସମ୍ଭବ ନୁହେଁ। ସେହିପରି 2079 ରୁ 2086 ମଧ୍ୟରେ ତାପମାତ୍ରା "ସବୁଠୁ ବିପଦ ସୀମା" ଅତିକ୍ରମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.