ଟି-୨୦ ବିଶ୍ବକପ୍ ଫାଇନାଲ; ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଆଜି ଟାଇଟଲ ଟକ୍କର, ଛକା ଓ ଚୌକାରେ ଦୁଲୁକିବ ଏମ୍‌ସିଜି

Published By : Prameya-News7 Bureau | November 13, 2022 IST

ମେଲବୋର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ମହାକୁମ୍ଭ ମହାମୁକାବିଲା । ମେଲବୋର୍ଣ୍ଣର ବିଶାଳ ମଇଦାନରେ ହେବ ଟାଇଟଲ ଲଢ଼େଇ । ସୁପର ସନ୍‌ଡେ’ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ସୁପର ଫାଇଟ୍ । ଏନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ । ଭାରତୀୟ ସମୟ ଦିନ ୧ଟା ୩୦ ମିନିଟରେ ମ୍ୟାଚ୍ ଖେଳାଯିବ । ଭାରତ ବାଦ ପଡ଼ି ସାରିଥିବାରୁ ଦର୍ଶକଙ୍କ ଉତ୍ସାହ ସାମାନ୍ୟ କମି ଯାଇଛି । ହେଲେ ପାକିସ୍ତାନ ଓ ଇଂଲଣ୍ଡର ସମର୍ଥକଙ୍କୁ ନେଇ ପୂର୍ଣ୍ଣ ହେବ ମେଲବୋର୍ଣ୍ଣ ଗ୍ରାଉଣ଼୍ଡ । ମ୍ୟାଚ୍‌ ସାରା ବାର୍ମି ଆର୍ମିର ବିଗୁଲ ବାଜିବା ନିଶ୍ଚିତ ।

୧୯୯୨ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା ଟକ୍କର । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ପାକିସ୍ତାନ ଫାଇନାଲ ଜିତି ପ୍ରଥମ କରି ବିଶ୍ବକପ୍‌ ଚାମ୍ପିଅନ୍ ତାଲିକାରେ ନିଜ ନାଁକୁ ସାମିଲ କରିଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟାଇଟଲ ପାଇଁ ମୁହାମୁହିଁ ହେବାକୁ ଯାଉଛନ୍ତି ।

ଫାଇନାଲ୍‌ ମ୍ୟାଚ୍‌ର ଫଳାଫଳକୁ ନେଇ ଭାରତୀୟ ଦର୍ଶକ ଆଉ ଗୁରୁତ୍ୱ ଦେଉ ନାହାନ୍ତି । ତେଣୁ ଦର୍ଶକ ଗ୍ୟାଲେରୀର ରୋମାଞ୍ଚ ଫିକା ପଡ଼ିବା ସ୍ବାଭାବିକ । ବର୍ଷା ମଧ୍ୟ ପ୍ରଭାବ ପକାଇବା ନେଇ ଅନୁମାନ କରାଯାଉଛି । ତଥାପି ଉଭୟ ଦଳ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଫାଇନାଲ୍‌ ମ୍ୟାଚ୍‌କୁ ନେଇ ଆକଳନ କରିବା ଅସମ୍ଭବ । ଇଂଲଣ୍ଡ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଥିବାବେଳେ ପାକିସ୍ତାନର ପେସ୍‌ ବାହିନୀ ଟୁର୍ଣ୍ଣାମେଣ୍ଟରେ ଆଧିପତ୍ୟ ଜାହିର କରିସାରିଛନ୍ତି । ତେଣୁ ମୋଟ୍ ଉପରେ ଦେଖିବାକୁ ଗଲେ ଆଜିର ମ୍ୟାଚ୍ ପାକ୍‌ ପେସର ବନାମ ଇଂଲଣ୍ଡର ଦୁର୍ଦ୍ଦର୍ଷ ବ୍ୟାଟରମାନଙ୍କ ମଧ୍ୟରେ ସଂଘର୍ଷ ହେବ । ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ଏକମାତ୍ର ଦଳ ଯିଏ ପାଓ୍ବାର ପ୍ଲେ’ରେ ସ୍ପିନରଙ୍କୁ ବୋଲିଂ କରାଇ ନାହିଁ ।

ଆଜିର ମ୍ୟାଚ୍‌ରେ ଉଭୟ ଦଳର ଓପନରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଜସ୍ ବଟଲର ଓ ଆଲେକ୍ସ ହେଲ୍ସ ଫର୍ମ ଫେରି ପାଇଥିବାରୁ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କଲେ ବିଶାଳ ସ୍କୋର କରିବାର ଆଶା କରାଯାଉଛି । ବାବର ଆଜମ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । ବଟଲର ଓ ଫାଷ୍ଟ ବୋଲର ସହିନ୍ ଆଫ୍ରିଦିଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ । ସେହିପରି ହ୍ୟାରିସ୍‌ ରୌଫଙ୍କକୁ ସାମ୍ନା କରିବାକୁ ଲାଏମ୍ ଲିଭିଙ୍ଗଷ୍ଟୋନ୍ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି ।

ଟି-20 ବିଶ୍ବକପ୍‌ରେ ପୂର୍ବରୁ ଉଭୟ ଦଳ ପରସ୍ପରକୁ ୨ଥର(୨୦୦୯ ଓ ୨୦୧୦) ଭେଟିଥିଲେ । ୨୦୦୯ରେ ପାକିସ୍ତାନ ଓ ୨୦୧୦ରେ ଇଂଲଣ୍ଡ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । ସେପଟେ ଆଜିର ମ୍ୟାଚରେ ବେନ୍ ଷ୍ଟୋକ୍ସ ୪୪ ରନ୍ କଲେ ଟି-ଟ୍ୱେଣ୍ଟିରେ ତାଙ୍କର ୩୦୦୦ ରନ୍‌ ପୂରଣ ହେବ । ସେହିପରି ୧୦୦ ଓ୍ବିକେଟ୍‌ କ୍ଲବ୍‌ରେ ପ୍ରବେଶ କରିବା ପାଇଁ ଶଦାବ ଖାନ୍ ଆଉ ୩ଟି ଓ୍ବିକେଟ୍‌ ଆବଶ୍ୟକ କରୁଛନ୍ତି ।

ମେଲବୋର୍ଣ୍ଣରେ ପିଚକୁ ଦେଖିଲେ ବର୍ଷା ଯୋଗୁ ଏକାଧିକ ମ୍ୟାଚ୍‌ ପ୍ରଭାବିତ ହୋଇଛି । ରବିବାର ମଧ୍ୟ ଏଠାରେ ବର୍ଷା ହେବ ସମ୍ଭାବନା ରହିଛି । ବର୍ଷା ଯୋଗୁ ପିଚ୍‌ରେ ଆଦ୍ରତା ଭରି ରହିଥିବ । ତେଣୁ ପେସ୍ ବୋଲରମାନେ ଏହାର ଫାଇଦା ଉଠାଇ ପାରିବେ । ୧୬୦ ରନ୍‌ ମଧ୍ୟ ଲଢୁଆ ସ୍କୋର ସାବ୍ୟସ୍ତ ହୋଇପାରେ । ମେଲବୋର୍ଣ୍ଣରେ ସୁପର-୧୨ ରାଉଣ୍ଡର ୬ଟି ମ୍ୟାଚ୍‌ ରହିଥିଲା । ଏଥିରୁ ୩ଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ଇଂଲଣ୍ଡ ଏହି ଗ୍ରାଉଣ୍ଡ୍‌ରେ ଆୟର୍ଲାଣ୍ଡ ଠାରୁ ଓ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଠାରୁ ପରାଜିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.