ବ୍ରହ୍ମପୁର ୧୯।୪: ଶିକ୍ଷକ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ଠକେଇ । ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସାଇବର ଠକ ଗିରଫ । ଗୁଜରାଟରୁ ବାନ୍ଧିଲା ବ୍ରହ୍ମପୁର ପୋଲିସ । ଅଭିଯୁକ୍ତ ଜଣକ ରାଜସ୍ଥାନ ଫଳାଉଦି ଜିଲ୍ଲା ନିତରବୋରା ଗ୍ରାମର ଶିପାଲ ଓରଫ ସୁବାସ ନାବୁରାମ I ଶିପାଲ ଏକ ମାମଲାରେ ଗିରଫ ହୋଇ ଗୁଜରାଟର ଏକ ଜେଲ୍ରେ ଥିଲା । ବ୍ରହ୍ମପୁର ପୋଲିସ ସୂଚନା ପାଇବା ପରେ କୋର୍ଟଙ୍କ ଅନୁମତି ନେଇ ଗୁଜରାଟରୁ ତାଙ୍କୁ ବ୍ରହ୍ମପୁର ଆଣିଛି । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୦ ତାରିଖରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଶିକ୍ଷକ ସ୍ବାମୀଙ୍କ ନିକଟକୁ ଏକ ଅଜଣା ଫୋନ୍ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ଟ୍ରାଇର ଅଧିକାରୀ କହୁଛି ବୋଲି ଜଣାଇବା ସହ ଶିକ୍ଷକଙ୍କ ନାମରେ ଥିବା ମୋବାଇଲ ନମ୍ବର ୨ ଘଣ୍ଟା ଭିତରେ ବନ୍ଦ ହୋଇଯିବ ବୋଲି କହିଥିଲା । ଶିକ୍ଷକଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ମୋବାଇଲ ନମ୍ବର ରହିଛି, ଯାହା ନାମରେ ମହାରାଷ୍ଟ୍ରର ଏକ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ସ୍ୱାମୀ ନାମରେ ୨ କୋଟି ୩୮ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ରହିଛି । ଯେଉଁ କାରଣରୁ ତାଙ୍କ ନାମରେ ଆରେଷ୍ଟ ଅର୍ଡର ରହିଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଜଣକ ଜଣାଇଥିଲା । ସାଇବର ଠକମାନେ ୪ଟି ବିଭିନ୍ନ ମୋବାଇଲ ନମ୍ବରରୁ ତାଙ୍କ ନିକଟକୁ ଭିଡିଓ କଲ୍ କରି ଜଣେ ପୋଲିସ ଅଧିକାରୀ, ଜଣେ ସୁପ୍ରିମକୋର୍ଟ ଜଜ୍ ହୋଇ ଭିଡିଓ କଲ୍ରେ ରହି ଉପରୋକ୍ତ ମାମଲା ସମ୍ପର୍କରେ କହିବା ସହ ଶିକ୍ଷକ ଦମ୍ପତିଙ୍କୁ ହରାଇ ଡିଜିଟାଲ ଆରେଷ୍ଟ କରି ରଖୁଥିଲେ । ଏପରିକି ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ତାଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବାକୁ କହିଥିଲେ ।
ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଆନାରେ ଏକ ମାମଲା(୧୨/୨୫) ରୁଜୁ ହୋଇଥିଲା । ଏହି ମାମଲା ତଦନ୍ତ ବେଳେ ସାଇବର ଥାନା ପୋଲିସ ଅଭିଯୁକ୍ତ ଶିପାଲଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା । ତେବେ ଠିକଣା ବିଷୟରେ ତଥ୍ୟ ହାସଲ ଦେଳେ ସେ ଗୁଜରାଟର ଜେଲ୍ରେ ଥିବା ଜଣାପଡ଼ିଥିଲା। ସେହି କ୍ରମରେ ତାକୁ ବ୍ରହ୍ମପୁର ଆଣିବା ଦିଗରେ ୱାରେଣ୍ଟ ଜାରି କରିବାକୁ ବ୍ରହ୍ମପୁର ପୋଲିସ ଏଠାକାର ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା । ସେହି ୱାରେଣ୍ଟ ବଳରେ ବ୍ରହ୍ମପୁର ପୋଲିସର ଏକ ଟିମ୍ ଗୁଜରାଟ ଯାଇ ଅଭିଯୁକ୍ତଙ୍କୁ ଆଣିବାରେ ସଫଳ ହୋଇଥିଲା ।
କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି । ରାଜସ୍ଥାନର ଏକ ଜେଲ୍ରେ ଥିବା ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦରାମକୁ ରିମାଣ୍ଡରେ ଆଣିବା ପାଇଁ ନ୍ୟାୟିକ ବ୍ୟବସ୍ଥା ଗ୍ରହଣ କରିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
You Can Read:
ପୋଖରୀରେ ବୁଡିଗଲେ ଯୁବକ, ଦୀର୍ଘ ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ