ନୂଆପଡ଼ା ୨୧।୦୧ : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଏନ୍କାଉଣ୍ଟରରେ ଟଳିଲେ ୧୦ରୁ ଅଧିକ ମାଓବାଦୀ । ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧର ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀ ଏବଂ ପୋଲିସକୁ ମିଳିଛି ଏହି ସଫଳତା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଛତିଶଗଡ଼ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ପରେ ଉଭୟ ରାଜ୍ୟର ପୋଲିସ ଆକ୍ସନକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ଅନ୍ତଃରାଜ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ନୂଆପଡ଼ା ଏସ୍ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍ ଟିମ୍ (ଇ-୩୦), ୫ ସିଆର୍ପିଏଫ ଟିମ୍ ସମେତ ୧୦ଟି ଟିମ ଏଥିରେ ସାମିଲ ହୋଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସୋମବାର ଦିନ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଟଳିଥିଲେ ୧୦ରୁ ଅଧିକ ମାଓବାଦୀ । ପୋଲିସ ଏନ୍କାଉଣ୍ଟରରେ ୧୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଆଇଇଡ଼ି, କିଛି ବନ୍ଧୁକ ଏବଂ ପୋଷାକ ରହିଥିବା ସୂଚନା ମିଳିଛି । ଏନ୍କାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏବେବି କୁମ୍ବିଂ ଅପରେସନ ଜାରି ରହିଛି ।
ଟେଲି ଅଭିନେତା ଯୋଗେଶ ମହାଜନଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ