ଆରଜି କର ମାମଲା: ସଞ୍ଜୟ ରାୟକୁ ଆଜୀବନ, କାହିଁକି ହେଲାନି ମୃତ୍ୟୁଦଣ୍ଡାଦେଶ?

Published By : Prameya-News7 Bureau | January 20, 2025 IST

କୋଲକାତା ୨୦।୧: ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଞ୍ଜୟ ରାୟକୁ ସିଆଲଦହ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କୋର୍ଟ ଏହି ମାମଲାକୁ ‘ରେୟାରେଷ୍ଟ ଅଫ ରେୟାର’ ଅର୍ଥାତ ବିରଳତମ ସ୍ୱୀକାର କରି ନାହାନ୍ତି। ଏଣୁ ଅପରାଧୀକୁ ମୃତ୍ୟୁଦାଣ୍ଡାଦେଶ ବଦଳେ ଆଜୀବନ ଜେଲଦଣ୍ଡାଦେଶ କରିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସଞ୍ଜୟକୁ ତାର ବାକି ଜୀବନ ଜେଲରେ କଟାଇବାକୁ ପଡିବ। 

ଉଲ୍ଲେଖଯୋଗ୍ୟ ଯେ ୮ ଓ ୯ ଅଗଷ୍ଟ ୨୦୨୪ ବିଳମ୍ବିତ ରାତ୍ରିରେ ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଅଗଷ୍ଟ ୧୦ ତାରିଖ ଦିନ ସଞ୍ଜୟ ରାୟକୁ ଗିରଫ କରିଥିଲା। ଫରେନସିକ୍ ଯାଞ୍ଚରେ ସଞ୍ଜୟର ଡିଏନଏ ପ୍ରମାଣ ପୀଡ଼ିତା ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ସହିତ ମେଳ ଖାଇଥିଲା। ଏଣୁ ମାମଲାରେ ସଞ୍ଜୟ ଲିପ୍ତ ଥିବା ପ୍ରମାଣିତ ହୋଇଥିଲା। 

୧୮ ଜାନୁୟାରୀ ୨୦୨୫ରେ କୋର୍ଟ ସଞ୍ଜୟକୁ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଜାନୁୟାରୀ ୨୦ ତାରିଖ ସୋମବାର କୋର୍ଟ ୧୬୪ ଦିନର ଶୁଣାଣି ଓ ୧୬୦ ପୃଷ୍ଠାର ରାୟରେ ଅପରାଧୀଙ୍କ ନିମନ୍ତେ ଦଣ୍ଡଘୋଷଣା କରିଛନ୍ତି। ସଞ୍ଜାୟକୁ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୬୪(ଦୁଷ୍କର୍ମ), ୬୬ (ଦୁଷ୍କର୍ମ ଯୋଗୁ ମୃତ୍ୟୁ) ଓ ୧୦୩ (ହତ୍ୟା)ରେ ସଞ୍ଜାୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିରେ ଧାରା ୬୪ରେ ଅପରାଧୀକୁ ୧୦ବର୍ଷରୁ ଆରମ୍ଭ କରି ଆଜୀବନ ଜେଲ, ଧାରା ୬୬ ରେ ୨୦ ବର୍ଷ ଦଣ୍ଡ ଯାହାକୁ ବଢାଇ ଆଜୀବନ କରାଯାଇ ପାରିବ ଓ ଧାରା ୧୦୩ରେ ମୃତ୍ୟୁ ଦଣ୍ଡ ଅଥବା ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି। 

ମାମଲାରେ ସିବିଆଇ ଓ ପୀଡ଼ିତାଙ୍କ ପରିବାର ଦୋଷୀଙ୍କ ନିମନ୍ତେ ମୃତ୍ୟୁଦଣ୍ଡାଦେଶ ଦାବି କରିଥିଲେ। ସେମାନେ କହିଥିଲେ ଘଟଣା ସମାଜକୁ ଦୋହଲାଇ ଦେବା ଭଳି ଓ ଏଥି ପାଇଁ ଫାଶୀ ହିଁ ଏକମାତ୍ର ନ୍ୟାୟ। ତେବେ ସ୍ୱତନ୍ତ୍ର ଜଜ୍ ମାମଲାକୁ ରେୟାରେଷ୍ଟ ଓ ରେୟାର ମାନି ନାହାନ୍ତି। ଏଣୁ କୋର୍ଟ ସୁଧାର ସିଦ୍ଧାନ୍ତରେ ଦୋଷୀଙ୍କ ଲାଗି ଆଜୀବନ କାରାଦଣ୍ଡାଦେଶ ଘୋଷଣା କରିଛନ୍ତି। 

ତେବେ ସିବିଆଇ ଓକିଲ କହିଥିଲେ ଯେ ଏହା ଏକ ବିରଳତମ ମାମଲା, କାରଣ ପୀଡି଼ତା ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଏହି ଘଟଣା ସମାଜର ବିଶ୍ୱାସକୁ ଭାଙ୍ଗିବା ଭଳି। ତେବେ ସଞ୍ଜୟର ଓକିଲ କୋର୍ଟ ମୃତ୍ୟୁଦଣ୍ଡ ବଦଳେ ସୁଧାରାତ୍ମକ (ଆଜୀବନ କାରାଦଣ୍ଡ) ଉପରେ ବିଚାର କରିବା ଆବଶ୍ୟକ ବୋଲି ନିବେଦନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.