ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

Published By : Prameya-News7 Bureau | June 23, 2024 IST

internet

ନୂଆଦିଲ୍ଲୀ: ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବଫର୍ ଷ୍ଟକ୍ ପାଇଁ ସରକାର ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିଛନ୍ତି। ପିଆଜ ମୂଲ୍ୟ ୪୦-୪୫ ଟଙ୍କା ମଧ୍ଯରେ ବିକ୍ରି ହେଉଛି।  ତେବେ ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୮.୬୭ ଟଙ୍କା ଥିଲା।ତେବେ ଆସନ୍ତା ଦିନମାନଙ୍କରେ ପିଆଜ ମୂଲ୍ୟ ହ୍ରାସ ହେବ ବୋଲି ସରକାର ଆଶା ରଖିଛନ୍ତି।

ପିଆଜ ମୂଲ୍ୟ ସ୍ଥିର ରଖିବା ପାଇଁ ସରକାର ଚଳିତ ବର୍ଷ ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଦେଶର ଅଧିକାଂଶ ସ୍ଥାନରେ ସୌସୁମୀ ପ୍ରଭା ବଢିବା ସହିତ ଖୁଚୁରା ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ସରକାର ଆଶା ପୋଷଣ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜୁନ୍ ୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଫର୍ ଷ୍ଟକ୍ ଭାବରେ ୭୦,୯୮୭ ଟନ୍ ପିଆଜ କିଣିଛନ୍ତି। ଗତ ବର୍ଷ ସମାନ ଅବଧିରେ ୭୪,୦୭୧ ଟନ୍ ପିଆଜ କିଣାଯାଇଥିଲା। 

ଅଧିକାରୀ ଆହୁରି କହିଛନ୍ତି ଯେ ପ୍ରବଳ ଗରମ ଏବଂ କମ୍ ବର୍ଷା ହେତୁ ଚଳିତ ବର୍ଷ ରବି ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି। ପିଆଜର ମୂଲ୍ୟ ବୃଦ୍ଧି ପାଇଁ ଏହି କାରଣଗୁଡିକ ମଧ୍ୟ ଦାୟୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.