ନୂଆଦିଲ୍ଲୀ ୧୨।୧୨: ମୂଲ୍ୟବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପିତି ହାର ହ୍ରାସ ହୋଇ ୫.୪୮ ପ୍ରତିଶତକୁ ଆସିଯାଇଛି। ଅକ୍ଟୋବର ମାସରେ ଏହି ହାର ୬.୨୧ ପ୍ରତିଶତ ସହିତ ୧୪ ମାସର ଉଚ୍ଚତମ ସ୍ତରରେ ଥିଲା। ତେବେ ଖାଦ୍ୟପଦାର୍ଥ ଖାସ କରି ପନିପରିବା ଓ ଡାଲି ମୂଲ୍ୟ ହ୍ରାସ ଯୋଗୁ ଏହି ହ୍ରାସ ହୋଇଛି। ଏବେ ବଜାରକୁ ଶୀତ ଦିନିଆ ଫସଲ ଆସିବାକୁ ଆରମ୍ଭ କଲାଣି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡିଛି। ତେବେ ଦେଶର ମୁଦ୍ରାସ୍ପିତି ହାର ଏବେବି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଧାର୍ଯ୍ୟ ସ୍ତରରୁ ଯଥେଷ୍ଟ ଉଚ୍ଚା ରହିଛି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଗୁରୁବାର ଜାରି ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ଅନୁସାରେ ନଭେମ୍ବର ମାସରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ହୋଇଛି। ଏହା ନଭେମ୍ବର ମାସରେ ୯.୦୪ ପ୍ରତିଶତକୁ ଆସିଛି, ଯାହା ଅକ୍ଟୋବରରେ ୧୦.୮୭ ପ୍ରତିଶତ ଥିଲା। ତଥ୍ୟ ଅନୁସାରେ ନଭେମ୍ବର ୨୦୨୪ରେ ପନିପରିବା ମୂଲ୍ୟ ହ୍ରାସ ହୋଇ ୨୯.୩୩ ପ୍ରତିଶତକୁ ପହଞ୍ଚିଛି। ଏହା ଅକ୍ଟୋବର ମାସରେ ୪୨.୧୮ ପ୍ରତିଶତ ଥିଲା।
ସେହିପରି ଡାଲି ମୂଲ୍ୟ ମାସିକ ଆଧାରରେ ୭.୪୩ ପ୍ରତିଶତରୁ ହ୍ରାସ ହୋଇ ୫.୪୧ ପ୍ରତିଶତକୁ ଖସିଛି। ଏହା ଛଡା ଚିନି, ମିଷ୍ଟାନ୍ନ, ଫଳ, ଅଣ୍ଡା, ଦୁଗ୍ଧ, ମସଲା, ପରିବହନ ଓ ସଞ୍ଚାର, ବ୍ୟକ୍ତିଗତ ପ୍ରସାଧାନ ସାମଗ୍ରୀ ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ହୋଇଛି। ଚଳିତବର୍ଷ ଅଗଷ୍ଟ ମାସ ପରଠାରୁ ଲଗାତାର ମୂଲ୍ୟବୃଦ୍ଧି ହୋଇ ଚାଲିଥିଲା। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପିତି ୧୪ ମାସର ଶୀର୍ଷ ସ୍ତର ୬.୨୧ ପ୍ରତିଶତକୁ ପହଞ୍ଚି ଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ମୁଦ୍ରାସ୍ପିତି ୫.୪୯ ପ୍ରତିଶତ ଥିଲା। ସେହି ଅନୁସାରେ ଦେଖିଲେ ସେପ୍ଟେମ୍ବର ମାସ ତୁଳନାରେ ନଭେମ୍ବର ମାସରେ ମୁଦ୍ରାସ୍ପିତି ୦.୦୧ ପ୍ରତିଶତ କମିଛି।
ନଭେମ୍ବରରେ ହ୍ରାସ ସତ୍ତ୍ୱେ ମୁଦ୍ରାସ୍ପିତି ହାର ଲଗାତାର ୩ ମାସ ହେଲା ୫ ପ୍ରତିଶତ ଉପରେ ରହୁଛି, ଯାହା ଆରବିଆଇଙ୍କ ନିର୍ଦ୍ଧାରିତ ଅନୁମାନ ୪.୮ ପ୍ରତିଶତରୁ ଢେର ଉପରେ ରହୁଛି। ଏଣୁ ନଭେମ୍ବର ହ୍ରାସକୁ ଆଶ୍ୱସ୍ତି ଭାବେ ଦେଖାଯାଇ ନ ପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। କାରଣ ଜାରି ଆର୍ଥିକ ବର୍ଷ ନିମନ୍ତେ ଆରବିଆଇ ମୁଦ୍ରାସ୍ପିତିକୁ ୪.୫ ପ୍ରତିଶତରୁ ବଢାଇ ୪.୮ ପ୍ରତିଶତ କରିଦେଇଛନ୍ତି। ସେହିପରି ଖାଦ୍ୟ ମୂଲ୍ୟର ଚାପ ଡିସେମ୍ବର ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ପିତିକୁ ଉଚ୍ଚତମ ସ୍ତରରେ ରଖିବ ବୋଲି ଆଶଙ୍କା କରାଯାଉଛି।