ଭୁବନେଶ୍ବର ୧୩।୧୧: କାର୍ତ୍ତିକ ମାସ ପଞ୍ଚୁକରେ ବି ପିଆଜ ଦର ବଢିଲା । ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ଟଙ୍କା ବଢ଼ିସାରିଲାଣି ପିଆଜ । ଖୁଚୁରା ବଜାରରେ ପିଆଜ କିଲୋ ୭୦ଟଙ୍କା । ଏବେ ପଞ୍ଚୁକ ଚାଲିଥିବାରୁ ଅବଶ୍ୟ ପିଆଜକୁ ନେଇ ହୋହାଲ୍ଲା ବେଶୀ ନାହିଁ । କିନ୍ତୁ ପଞ୍ଚୁକରେ ପିଆଜର ଚାହିଦା ସେତେ ଅଧିକ ନଥିବା ସତ୍ତ୍ବେ ଦର ବୃଦ୍ଧି ବିସ୍ମୟ ସୃଷ୍ଟି କରିଛି ।
ଏହି ସମୟରେ ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି । କେ.ଜି. ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ବାହାରେ ଦର ଉଚ୍ଚ ଅଛି । ଆମର ଉତ୍ପାଦନ ଯେହେତୁ ନାହିଁ, ନାଫେଡ଼ ଜରିଆରେ ପିଆଜ କେ.ଜି. ପ୍ରତି ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ଓଡ଼ିଶା ବଜାରକୁ ବାର୍ଷିକ ଦରକାର ପଡେ ପାଖାପାଖି ୫ଲକ୍ଷ ମେଟ୍ରିକ୍ ଟନ୍ ପିଆଜ । ମାସକୁ ହାରାହାରି ୪୦ ହଜାର ଟନ୍ରୁ ଅଧିକ ପିଆଜ ଖାଇଥାନ୍ତି ଓଡ଼ିଶାବାସୀ । ଆବଶ୍ୟକତା ଅନୁପାତରେ ଓଡ଼ିଶାର ପିଆଜ ଉତ୍ପାଦନ ଯଥେଷ୍ଟ କମ୍ । ବାର୍ଷିକ ଓଡ଼ିଶାର୬୦ହଜାର ଟନ୍ ପିଆଜ ଅମଳ କରାଯାଉଛି । ଓଡ଼ିଶାର ମୋଟ୍ ପିଆଜ ଉତ୍ପାଦନର ପ୍ରାୟ ୮୦ଭାଗ ଟିଟିଲାଗଡ଼, ଅନୁଗୁଳରୁ ଆସିଥାଏ । କିନ୍ତୁ ଘରୋଇ ଅମଳ ଦୁଇମାସକୁ ବି ନିଅଣ୍ଟ ପଡେ । ଏଭଳି ସ୍ଥିତିରେ ଓଡ଼ିଶା ପିଆଜ ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଉପରେ ଯଥେଷ୍ଟ ନିର୍ଭରଶୀଳ । ପ୍ରତିଦିନ ଓଡ଼ିଶା ବଜାରକୁ ଏହି ଦୁଇ ଅଞ୍ଚଳରୁ ୨୦ ଗାଡ଼ି ପିଆଜ ଆସିଥାଏ। କଟକ ଛତ୍ରବଜାର ଦୈନିକ ୫ ଟ୍ରକ୍ ବୋଝେଇ ପିଆଜ ଗାଡ଼ି ଗଡ଼ିଥାଏ, ଯାହାର ପରିମାଣ ପାଖାପାଖି ୮୦ ରୁ ୧୦୦ ଟନ୍ । ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଆନ୍ଧ୍ର ପିଆଜ ରାଜୁତି କରୁଥିବା ବେଳେ ବର୍ଷର ଅନ୍ୟ ସମୟରେ ନାସିକ୍ ପିଆଜର ବଜାର ଦଖଲ ଥାଏ ।
You Can Read:
ତାଲା ଭାଙ୍ଗି ଦୋକାନରୁ ଚୋରି : ନେଇଗଲେ କ୍ଷୀର-ଦହି, ଖାଇଗଲେ ରାବିଡ଼ି-ଲସି