ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଆଭିମୁଖ୍ୟ, ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପର ହେବ ଜୋରଦାର ବିରୋଧ

Published By : Prameya-News7 Bureau | July 16, 2024 IST

ଭୁବନେଶ୍ଵର: ନଦୀ ଜଳ ବିବାଦ ପ୍ରସଙ୍ଗରେ ଲୋକଙ୍କ ସ୍ବାର୍ଥ ଜଗିବେ ରାଜ୍ୟ ସରକାର। ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରିବେ। ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏମିତି କଡ଼ା ଆଭିମୁଖ୍ୟ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। 

ବିଜେଡି କହିଛି ଓଡ଼ିଶାର ସ୍ବାର୍ଥ ଲାଗି ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ନୂଆ ସରକାର ଅନେକ ଘୋଷଣା କରୁଛନ୍ତି ସତ, କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ଉଚିତ। ଏଥି ପାଇଁ ଆକ୍ଟ ଅଛି।କିନ୍ତୁ ଯେଉଁମାନେ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ସେପଟେ କଂଗ୍ରେସର ବରିଷ୍ଠ ନେତା ବିଧାୟକ ତାରା ବାହିନିପତି କହିଛନ୍ତି ସରକାରଙ୍କ ଘୋଷଣା ବଚନେ କିମ୍ ଦାରିଦ୍ର୍ୟତା।

Also read: ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ, ସେଲଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଭକ୍ତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଜଳ ବିବାଦ ସମାଧାନ ହେବ ଏବଂ ଓଡ଼ିଶା ସ୍ବାର୍ଥ ବିରୋଧୀ ପ୍ରକଳ୍ପକୁ ବିରୋଧ କରାଯିବ। ହେଲେ ଏହା କାମରେ କଲେ ଭଲ କଥା। ଛତିଶଗଡରେ ସହ ରାଜ୍ୟ ଓ କେନ୍ଦ୍ରରେ BJP ସରକାର ଅଛି। ଆଗ ଛତିଶଗଡ଼ ବାନ୍ଧିଥିବା ବନ୍ଧକୁ ବନ୍ଦ କରାଯାଉ।ତାପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରି ସମାଧାନ କରନ୍ତୁ ବୋଲି କଂଗ୍ରେସ କହିଛି। 

ପ୍ରଶ୍ନ ଉଠୁଛି ବର୍ଷ ବର୍ଷର ସମସ୍ୟା ନୂଆ ସରକାରଙ୍କ ସମୟରେ ସମାଧାନ ହେବ ତ? କାହିଁକି ନା ୨୦୦୪ରୁ ଆନ୍ଧ୍ର ଗୋଦାବରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପ କାମ କରୁଛି। ଏହା ଦ୍ବାରା ଆଦିବାସୀ ବହୁଳ ମାଲକାନାଗିରୀ ମୋଟୁ ଅଞ୍ଚଳର ୬ ହଜାରରୁ ଅଧିକ ପରିବାର ବିସ୍ତାବିତ ହେବା ସହ ୬ ହଜାର ହେକ୍ଟର ଜମି ଜଳମଗ୍ନ ହେବ। ଯାହାକୁ ସେତେବେଳର ରାଜ୍ୟ ସରକାର ବିରୋଧ କରୁଥିଲେ ବି ସମାଧାନ ହୋଇପାରୁନି ।

ସେହିପରି ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧୁଛି।ଫଳରେ ମହାନଦୀ ଅଣ ମୌସୁମୀ ସମୟରେ ଶୁଖିଲା ପଡୁଛି।ଏହାକୁ ବିରୋଧ କରି ସେତେବେଳର ରାଜ୍ୟ ସରକାର ୨୦୧୮ରୁ ନ୍ୟାୟିକ ଲଢେଇ ଲଢୁଥିଲେ ବି ନ୍ୟାୟ ମିଳୁନି। ଏବେ କେନ୍ଦ୍ରରେ ବିଜେପି ସରକାର ସହ ଓଡ଼ିଶା ଓ ଛତିଶଗଡରେ ବିଜେପି ସରକାର।ଆଉ ଆନ୍ଧ୍ରରେ ବିଜେପିର ସହଯୋଗୀ ଟିଡିପି ସରକାର ଅଛି।ତେଣୁ ବିଜେପି ସରକାର ପାଖରେ ସମସ୍ୟା ସମାଧାନ କରିବାକୁ ଏକ ବଡ ସୁଯୋଗ ଅଛି ବୋଲି କୁହାଯାଉଛି। 

ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ପୂର୍ବ ସରକାର ଉପରେ ଦୋଷ ଲଦିବା ସହ କହିଛନ୍ତି ଆନ୍ତଃ ରାଜ୍ୟ ଜଳବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ସ୍ବାଗତଯୋଗ୍ୟ | ଏଥିପାଇଁ ଯାହା ପଦକ୍ଷେପ ତାହା ଦଳ ପକ୍ଷରୁ ଯୋଗାଇ ଦିଆଯିବ | ଓଡିଶାର ସ୍ବାର୍ଥ ପାଇଁ ଆମେ ଏକଜୁଟ ହୋଇ ଲଢ଼ିବୁ| ଏବେ ଅପେକ୍ଷା ନୂଆ ସରକାର ଓଡିଶାର ସ୍ବାର୍ଥ ରକ୍ଷା ଲାଗି କିଭଳି ନ୍ୟାୟିକ ଲଢେଇ ଲଢୁଛନ୍ତି ଆଉ ରାଜ୍ୟକୁ କେବେ ନ୍ୟାୟ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.