କୋଲକାତା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ଏହି ସର୍ବ ପୁରାତନ ରାଜନୈତିକ ଦଳକୁ ସମର୍ଥନ କରିବାର ସଙ୍କେତ ଦେଇଛନ୍ତି। ଏଥିପାଇଁ ମମତା ବାନାର୍ଜୀ ଏକ ସର୍ତ୍ତ ରଖିଛନ୍ତି, ଯଦି କଂଗ୍ରେସ ଏହାକୁ ସ୍ଵୀକାର କରିବ ତେବେ ଟିଏମସି କଂଗ୍ରେସକୁ ସମର୍ଥନ ଦେବ ବୋଲି ମମତା କହିଛନ୍ତି।
କଂଗ୍ରେସ ଯେଉଁ ରାଜ୍ୟରେ ମଜବୁତ ଥିବ, ସେଠାରେ ସେମାନେ ନିର୍ବାଚନ ଲଢିବେ ଏବଂ ଆମେ ସମର୍ଥନ ଦେବୁ। ଠିକ୍ ସେହିପରି ଯେଉଁ ରାଜ୍ୟରେ ବିରୋଧୀ ଦଳର ସଶକ୍ତ ଜନାଧାର ଥିବ ସେଠାରେ କଂଗ୍ରେସ ସମର୍ଥନ ଜଣାଇବା ଉଚିତ୍। ଯଦି କଂଗ୍ରେସକୁ ଏହା ମଞ୍ଜୁର ଦେବେ ଆମେ ସମର୍ଥନ ଦେବୁ ବୋଲି ମମତା ବାନାର୍ଜୀ କହିଛନ୍ତି।
ଆମେ କର୍ଣ୍ଣାଟକରେ ଆପଣଙ୍କୁ ସମର୍ଥନ କରିବୁ ଆଉ ଆପଣ ପଶ୍ଚିମବଙ୍ଗରେ ଆମ ବିରୋଧରେ ଲଢିବେ। ଏହା ତ ହୋଇ ପାରିବ ନାହିଁ। ଯଦି ତୁମେ କିଛି ପାଇବାକୁ ଚାହୁଁଛ ତେବେ ତୁମକୁ କିଛି ଅଞ୍ଚଳରେ ତ୍ୟାଗ କରିବାକୁ ପଡ଼ିବ ବୋଲି ମମତା କହିଛନ୍ତି। ଟିଏମସି ଗଣିତ ଅନୁସାରେ କଂଗ୍ରେସର ୨୦୦ ଆସନରେ ମଜବୁତ ସ୍ଥିତି ରହିଛି। ଯଦି ରାଜ୍ୟ ହିସାବରେ ଦେଖିବା ତେବେ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ଜନାଧାର ରହିଛି। ତେଣୁ ସେଠାରେ ଆମେ ଅଖିଳେଶଙ୍କୁ ସମର୍ଥନ ଦେବା ଉଚିତ୍। ମୁଁ କହୁନାହିଁ ଯେ, ସେଠାରେ କଂଗ୍ରେସ ନିର୍ବାଚନ ଲଢିବ ନାହିଁ। ଏ ନେଇ ଆମେ ମିଶି କି ଆଲୋଚନା କରିବା ଦରକାର।
ବାନାର୍ଜୀ ପ୍ରସ୍ତାବ ଦେଇଛନ୍ତି ଯେ, ଭାରତରେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ ହେବା ଉଚିତ୍ ଏବଂ ଯେଉଁ ରାଜ୍ୟରେ ଯେଉଁ ଦଳ ମଜବୁତ ଅଛି ସେଠାରେ ଆମ ସମସ୍ତଙ୍କୁ ସମର୍ଥନ ଦେବା ଉଚିତ୍। ଉଦାହରଣ ସ୍ଵରୂପ ଦିଲ୍ଲୀରେ ଆପ୍କୁ, ପଶ୍ଚିମବଙ୍ଗରେ ଟିଏମସିକୁ, ବିହାରରେ ଜେଡିୟୁ-ଆରଜେଡି ମେଣ୍ଟକୁ ଏବଂ ଅନ୍ୟ ରାଜ୍ୟରେ ଏହି ସମୀକରଣ ହିସାବରେ ସମର୍ଥନ କରାଯାଉ ବୋଲି ମମତା କହିଛନ୍ତି। ଯଦି କଂଗ୍ରେସ ଏହି ପ୍ରସ୍ତାବରେ ରାଜି ତେବେ ଟିଏମସି ସମର୍ଥନ ଦେବ।