ପୁରୀ ୦୯/୧୧: ଆସନ୍ତାକାଲି(ରବିବାର) ପବିତ୍ର ଅଁଳା ନବମୀ । ପୁରୀ ସାକ୍ଷୀଗୋପୀନାଥ ମନ୍ଦିରରେ ଅନୁଷ୍ଠିତ ହେବ ରାଧାରାଣୀ ପାଦ ଦର୍ଶନ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସାକ୍ଷୀଗୋପୀନାଥ ମନ୍ଦିରର ରଙ୍ଗ କାମ ଶେଷ ହୋଇଥିବାବେଳେ ମନ୍ଦିରକୁ ସୁନ୍ଦର ଭାବରେ ସଜା ଯାଇଛି । ଅଁଳା ନବମୀରେ ରାଧାରାଣୀଙ୍କ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମଧ୍ୟରେ ଢେର ଉତ୍ସାହ । ଓଡିଆଣୀ ବେଶରେ ଦର୍ଶନ ଦେବେ ମାଆ ରାଧାରାଣୀ ଓ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ସାକ୍ଷୀ ଗୋପୀନାଥ । ରାତି ଗୋଟାଏରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଆଦି କରାଯାଇ ସୁସଜ୍ଜିତ ବେଶ କରାଯିବ। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ। ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ବ୍ୟାପକ ଆୟୋଜନ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।