ଭୁବନେଶ୍ବର ୪।୧: ଆସନ୍ତା ୮ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏ ନେଇ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ପ୍ରଭାତୀ କହିଛନ୍ତି, ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ସବୁ ବିଭାଗଙ୍କ ସହଯୋଗରେ ପ୍ରସ୍ତୁତି ଚାଲିଛି । ଏହି ସମୟରେ ଭୁବନେଶ୍ବରରେ ପଥଉତ୍ସବ ଚାଲିବ । ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲ ଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତି କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ବୁଝାଇବା ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁଥିବା ଗାଇଡ୍ ରହିବେ । ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେ ହୋଟେଲର ବ୍ୟବସ୍ଥା, ହୋଟେଲର ସୁରକ୍ଷା ବ୍ୟବସ୍ଥା, ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ୍ ଡେକର ଗାଡ଼ିରେ ବୁଲିବେ ତାହା ସୁନିଶ୍ଚିତ କରାଯାଇଛି । ଏହା ଆମ ଓଡ଼ିଆ ଲୋକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି ପ୍ରଭାତୀ କହିଛନ୍ତି ।
ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଥିଲେ । କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ୍ ଷ୍ଟେ'ରେ ରହିବେ । ଓଡ଼ିଆ ଘରର ଖାଦ୍ୟ ଖାଇବେ । ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଆତିଥେୟତା, ବିଶ୍ଵ ଦରବାରରେ ଦେଖାଇବାକୁ ଆମ ପାଇଁ ବଡ଼ ସୁଯୋଗ । ଯେଉଁ ବେଷ୍ଟ କେପ୍ଟ ସିକ୍ରେଟ୍ ଥିଲା, ସେ ସିକ୍ରେଟ୍କୁ ଗୋଟି ଗୋଟି ରିଭେଲ କରିବାର ସମୟ ଆସିଛି ବୋଲି ପ୍ରଭାତୀ କହିଛନ୍ତି ।
You Can Read:
ଅଜଣା ବସ୍ ଧକ୍କାରେ ଓଲଟିଲା ପୋଲିସ ପାଟ୍ରୋଲିଂ ଭ୍ୟାନ୍, ୬ କର୍ମଚାରୀ ଆହତ