ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ ୨ ଭାଇ, ମିଳିଲା ଉଭୟଙ୍କ ମୃତଦେହ

Published By : Prameya-News7 Bureau | April 19, 2024 IST

ଯାଜପୁର  ୧।୪: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗାଧାଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ ହୋଇଥିଲେ । ଶୁକ୍ରବାର ମିଳିଲା ୨ ଭାଇଙ୍କ ମୃତଦେହ । ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ମିଳିଛି । ମୃତକ ୨ ଭାଇ ବ୍ୟାସନଗର ପୌରାଞ୍ଚଳ ସାପଗଡି଼ଆ ଅଞ୍ଚଳର ଶାସ୍ୱତ ରଞ୍ଜନ ସ୍ବାଇଁ ଓ ସ୍ବସ୍ତିକ ରଞ୍ଜନ ସ୍ବାଇଁ । 

ତେବେ ଗୁରୁବାର ମଧ୍ୟାହ୍ନରେ ବ୍ୟାସନଗର ପୌରାଞ୍ଚଳ ସାପଗଡି଼ଆ ଅଞ୍ଚଳର ୨ ଭାଇଙ୍କ ସମେତ ମୋଟ୍ ୪ ଜଣ ଯୁବକ ଯୋକଡିଆ ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଇବା ସମୟରେ ବଡ଼ ଭାଇ ଶାଶ୍ୱତ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସାନଭାଇ ସ୍ବସ୍ତିକ ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ଉଭୟ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ବି ଉଭୟ ଭାଇଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଶୁକ୍ରବାର ସକାଳୁ ବଡ଼ ଭାଇ ଶାଶ୍ୱତ‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ସାନ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read :

ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର, ପ୍ରାଣୀଉଦ୍ୟାନରେ ଆଖିବୁଜିଲା ବାଘୁଣୀ ସ୍ନେହା !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.