ନୀଳଗିରି: ରେଡ୍ ସାରି ଫେରିବାବେଳେ ଅବକାରୀ ବିଭାଗର ଗାଡ଼ି ଭଙ୍ଗାରୁଜା ସହ ଅଧିକାରୀଙ୍କୁ ଆକ୍ରମଣ। ଘଟଣା ଘଟିଛି ନୀଳଗିରି ବରମପୁର ଥାନା ଅଧୀନ ଟାଙ୍ଗଣା ଚାପଲସାହି ଅଞ୍ଚଳରେ। ଆକ୍ରଣରେ ଅବକାରୀ ଓଆଇସି ସମେତ ୪ ଜଣ ଆହତ ।
ସୂଚନା ଅନୁଯାୟୀ, ନୀଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ବୁଧବାର ପିଠାଅତା ଗ୍ରାମରେ ରେଡ୍ କରିଥିଲା। ନୀଳଗିରିରେ ଦିନକୁ ଦିନ ମଦ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିବାବେଳେ। ଅଭିଯୋଗ ଆଧାରରେ ହୋଇଥିଲା ଏହି ରେଡ୍। ତେବେ ଏହି ରେଡ୍ରେ ଗ୍ରାମର ନିରଞ୍ଜନ ବେହେରାଙ୍କ ଠାରୁ ୨୪ଲିଟର ଦେଶୀ ମଦ ସହ ଏକ ବାଇକ୍ ଜବତ ହୋଇଥିଲା। ଖାଲି ନିରଞ୍ଜନଙ୍କ ଠାରୁ ହିଁ ନୁହେଁ, ଜାମୁନା ନିକଟ ଚାପଲସାହି ଗ୍ରାମର ଗଙ୍ଗାଧର ସୋରେନଙ୍କ ଠାରୁ ମଧ୍ୟ ୪୦ ଲିଟର, ମହୁଲବଣୀ ଗ୍ରାମର ରଥ ସୋରେନଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ ହୋଇଥିଲା।
ତେବେ ତିନି ଜଣଙ୍କୁ ଗିରଫ କରି ବଲେରୋରେ ଫେରୁଥିବାବେଳେ ଟାଙ୍ଗଣା ପୋଲ ନିକଟରେ ୫ରୁ ଅଧିକ ଅଞ୍ଚଳବାସୀ ଅବକାରୀ ଗାଡ଼ିକୁ ଅଟକାଇଥିଲେ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ପରେ ଅବକାରୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ମାଡ଼ ମାରିବା ସହ ଡ୍ରେସ୍ ଚିରି ଦେଇଥିଲେ।
ଅନ୍ୟ କର୍ମଚାରୀ ତପନ୍ ମଲ୍ଲିକ, ନାହାନ୍ ମୁର୍ମୁ, ଦୁର୍ଯ୍ୟୋଧନ ବେହେରାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦୁଇ ଘଣ୍ଟା ଧରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିବା ପରେ ବରମପୁର ପୋଲିସ୍ ପହଞ୍ଚି ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଅଜୟ ସରେନ, ଜୟନ୍ତୀ ସୋରେନ୍ ବାହାଦୁର ଟୁଡୁ ସମେତ ଅନ୍ୟ ମନେ ମାଡ଼ ମାରିଥିବା ନେଇ ଅବକାରୀ ବିଭାଗର ଏତଲା ଦେବାପରେ ବରମପୁର ପୋଲିସ ଅଜୟ ସରେନକୁ ଗିରଫ କରିବାରେ ସଫଳ ହୋଇଥିଲା।
ଏନେଇ ୧୨/୨୫ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଅଜୟକୁ କୋର୍ଟ ଚାଲାଣ କରାଯାଇଛି। ଏପଟେ ନିଳଗିରି ଅବକାରୀ ବିଭାଗ ତିନ୍ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତେବେ ଅବକାରୀ ବିଭାଗର କର୍ମଚାରୀଙ୍କୁ ମଦମାଫିଆ ମାନେ ପ୍ରଛଦ ପଟରେ ରହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି।