ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, ଶେଷ ହେଲା କମିସନଙ୍କ ତଦନ୍ତ

Published By : Prameya-News7 Bureau | February 05, 2025 IST

News7

ଭୁବନେଶ୍ଵର:  ସ୍ଥଳସେନା ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯିବା ମାମଲାରେ ତଦନ୍ତ କମିଶନଙ୍କ  ତଦନ୍ତ ଶେଷ ହୋଇଛି। ଏ ନେଇ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ କମିଶନ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ  ଆସନ୍ତା ୨୮ ତାରିଖରେ ସୁଦ୍ଧା ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।  

ଘାଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର   ତଦନ୍ତ ପାଇଁ ହାଇକୋର୍ଟର ବିଚାରପତି  ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ଵରେ କମିଟି ଗଠନ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ନିଜ ମତାମତ ସତ୍ୟପାଠ ମାଧ୍ୟମରେ  ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ଏହା ପରେ ୫୦୦ରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ ନିକଟରେ ହସ୍ତଗତ ହୋଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତ ଲୋକଙ୍କ ବୟାନ ରେକର୍ଡ କରିଥିଲା କମିସନ। ସମସ୍ତ ସାକ୍ଷୀ ପ୍ରମାଣ ଓ ସତ୍ୟପାଠ  ଯାଞ୍ଚ କରିବା ପରେ ତଦନ୍ତ ଶେଷ କରିଛି ଜଷ୍ଟି୍ସ ଚିତ୍ତ ରଞ୍ଜନ ଦାସ କମିସନ।

Also read: ଅବ୍ୟବସ୍ଥା ଭିତରେ ସରିଲା ବାରବାଟୀର ଟିକେଟ୍ ବିକ୍ରି, ନିରାଶ ହେଲେ ହଜାର ହଜାର କ୍ରିକେଟ୍ ପ୍ରେମୀ

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାରରେ ଯାଉଥିବାବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।  ମାତ୍ର ପୋଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । 

ଏହାକୁ ନେଇ ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯ୍ୟାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମେଜରଙ୍କୁ ରାତି ସାରା ଥାନା ଲକ୍ ଅପ୍‌ରେ ବନ୍ଦ କରି ରଖାଯାଇଥିଲା। ପରବର୍ତ୍ତୀ ସମୟରେ ମେଜରଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ଚିକିତ୍ସା ପାଇଁ ତାଙ୍କ ବାନ୍ଧବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ  ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଭରତପୁର ଥାନା ପୋଲିସ ତାଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ମେଜରଙ୍କ ପତ୍ନୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.