ଆଦାନୀଙ୍କୁ ନେଇ ଆମେରିକାରୁ ଆସିଲା ବଡ଼ ଖବର, ଏକାସାଙ୍ଗେ ତିନୋଟି ମାମଲାରେ ହେବ ଶୁଣାଣି

Published By : Prameya-News7 Bureau | January 05, 2025 IST

ନୂଆଦିଲ୍ଲୀ ୦୫।୦୧ : ଆମେରିକାରୁ ଆସିଲା ବଡ଼ ଖବର । ଗୌତମ ଆଦାନୀଙ୍କ ବଢିଲା ଟେନ୍‌ସନ୍‌ । ଆମେରିକାରେ ଆଦାନୀଙ୍କ ଲାଞ୍ଚ କାରବାର ଅଭିଯୋଗରେ ବଢିଛି ଅଡୁଆ । ଏକାସାଙ୍ଗେ ତିନୋଟି ମାମଲାରେ ଶୁଣାଣି କରିବାକୁ ଆମେରିକା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁୟର୍କ କୋର୍ଟ ଏହି ଆଦେଶ ପରେ ଆଦାନୀ ସେୟାରରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି ।

ଭାରତର ଶିଳ୍ପପତି ଗୌତମ ଆଦାନୀ ଏବଂ ଅନ୍ୟ ଲୋକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଏମାନେ କୁଆଡେ ଏକ କଣ୍ଟ୍ରାକ୍ଟ ହାତେଇବା ପାଇଁ ୨୬୫ ନିୟୁତ ଡଲାର (ପ୍ରାୟ ୨,୨୦୦ କୋଟି) ଲାଞ୍ଚ ଦେଇଥିବା ଆସିଥିଲା ଅଭିଯୋଗ । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି) ପକ୍ଷରୁ ଏହି ଅଭିଯୋଗ ଆସିଥିଲା। ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ଆସିଥିଲା । ଯାହାକୁ ନେଇ ଆମେରିକା କୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିଲା । ତେବେ ତିନୋଟି ମାମଲାର ଏକାସାଙ୍ଗେ ଶୁଣାଣି କରିବାକୁ ଆମେରିକା ନ୍ୟୁୟର୍କର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଆଦେଶରେ କୋର୍ଟ କହିଛନ୍ତି ଯେ, ଏହି ତିନୋଟି କେସ୍‌ ଏକ ମାମଲା ସହିତ ଜଡିତ ହୋଇଛି । ତେଣୁ ସମସ୍ତ ମାମଲାର ଏକାସାଙ୍ଗେ ଶୁଣାଣି ହେବା ଉଚିତ୍‌ । ଏହି ମାମଲାକୁ ଜଣେ ବିଚାରପତି ଶୁଣାଣି କରିବେ । ଯାହାଦ୍ୱାରା କି ମାମଲାରେ କୌଣସି ପ୍ରକାରର ବିବାଦ ଦେଖାଦେବନାହିଁ । ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ମାମଲାକୁ ଆମେରିକା ଜିଲ୍ଲା ଜଜ୍‌ ଗାରୁପିସ୍‌ଙ୍କୁ ହସ୍ତାନ୍ତର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.