ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ଦ୍ୱିତୀୟ ଲିଷ୍ଟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପକ୍ଷର ପ୍ରଭାବ ବଢ଼ିଛି। ଘୋଷଣା ହୋଇଥିବା ମୋଟ ୮୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପାଖାପାଖି ୩୦ ଜଣ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସମର୍ଥିତ ରହିଛନ୍ତି।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବସୁନ୍ଧରାଙ୍କ ନାଁ ନଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବସୁନ୍ଧରା ତାଙ୍କ ପାରମ୍ପରିକ ଆସନ ଝାଲରାପାଟନାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି। ରାଜସ୍ଥାନ ରାଜନୀତିରେ ବିଜେପିରେ ଫାଟ ରହିଛି। ବସୁନ୍ଧରା ରାଜେ ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତଙ୍କ ମଧ୍ୟରେ ବିବାଦ ରହିଛି। ହେଲେ ଏପର୍ଯ୍ୟନ୍ତ ଏହା ସାମ୍ନାକୁ ଆସି ନଥିବା ଦେଖିବାକୁ ମିଳିଛି।
୨୦୧୮ରେ ବିଜେପି ଶେଖୱତଙ୍କୁ ରାଜସ୍ଥାନ ବିଜେପି ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲା। ହେଲେ ରାଜେ ସିନ୍ଧିଆ ଏହାକୁ ବିରୋଧ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବଢ଼ିଛି। କୌଣସି ରାଜନୈତିକ ରାଲିରେ ଏହି ଦୁଇ ଜଣଙ୍କୁ ଏକାଠୀ ଦେଖାଯାଇ ନାହିଁ।
ପଢ଼ନ୍ତୁ-ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପିର ପଞ୍ଚମ ପ୍ରାର୍ଥୀ ତାଲିକା ଜାରି, ଶିବପୁରୀ ଆସନରୁ ଲଢ଼ିବେ ଦେବେନ୍ଦ୍ର ଜୈନ
ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ରାଜେ ସିନ୍ଦିଆଙ୍କୁ ବାଦି ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜନୈତିକ ସମୀକରଣକୁ ସନ୍ତୁଳିତ କରିବା ପ୍ରୟାସରେ ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ବସୁନ୍ଧରାଙ୍କ ସମେତ ତାଙ୍କ ସମର୍ଥିତଙ୍କୁ ମଧ୍ୟ ଟିକେଟ୍ ଦେଇଛି।