ରାଜନୀତିର ମୈଦାନରେ ଭିନେଶଙ୍କ ବାଜିମାତ୍, ଜୁଲାନା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଦେଲେ ମାତ୍, ବୃଜଭୂଷଣ କହିଲେ...

Published By : Prameya-News7 Bureau | October 08, 2024 IST

ଚଣ୍ଡିଗଡ଼: ହରିୟାଣା ବିଧାନସଭାର ଜୁଲାନା ଆସନରୁ ପୂର୍ବତନ କୁସ୍ତିଯୋଦ୍ଧା ତଥା କଂଗ୍ରେସ ଟିକଟରେ ମୈଦାନକୁ ଓହ୍ଲାଇଥିବା ଭିନେଶ ଫୋଗାଟ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଭିନେଶ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ୬୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଏହି ଆସନରେ ଭିନେଶଙ୍କ ସାମନାରେ ଥିବା ଆପ୍ ପ୍ରାର୍ଥୀଙ୍କୁ କେବଳ ୧୨୦୦ ଖଣ୍ଡ ଭୋଟ ମିଳିଛି । ଭିନେଶଙ୍କ ବିପକ୍ଷରେ ଆମ୍ ଆଦମୀ ପାର୍ଟି ଡବ୍ଲୁଡବ୍ଲୁଇ ରେସଲର କବିତା ରାଣୀ (କବିତା ଦଲାଲ)ଙ୍କୁ ଓହ୍ଲାଇଥିଲା, ଏବେ ସେ ନିଜ ଅମାନତ ବି ହରାଇଛନ୍ତି ।

ଭିନେଶ ଫୋଗାଟଙ୍କୁ ନିର୍ବାଚନରେ ମୋଟ ୬୫,୦୮୦ ଭୋଟ୍ ମିଳିଥିଲା । ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ୫୯,୦୬୫ ଭୋଟ ମିଳିଛି । ଏହିପରି ଭିନେଶ ୬୦୧୫ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ଜୁଲାନା ବିଭାନସଭା କ୍ଷେତ୍ର ସବୁଠୁ ଅଧିକ ଚର୍ଚ୍ଚିତ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ପ୍ୟାରିସ୍ ଅଲିମ୍ପିକ୍ସରେ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ବହୁ ମାନସିକ ବିଶାଦରେ ରହିଥିଲେ । ତେବେ ହରିୟାଣା ନିର୍ବାଚନ ତାରିଖ ଘୋଷଣାର କିଛି ଦିନ ପୂର୍ବରୁ ଭିନେଶ କଂଗ୍ରେସରେ ସାମିଲ ହୋଇଥିଲେ ।

ନିର୍ବାଚନରେ ଜିତିବା ପରେ ଭିନେଶ ଫୋଗାଟଙ୍କ ବୟାନ ସାମନାକୁ ଆସିଛି । ସେ କହିଛନ୍ତି, ମୁଁ କଂଗ୍ରେସ ପାର୍ଟିର ବିଶ୍ୱାସକୁ ବଜାୟ ରଖିବି । ଭିନେଶଙ୍କ ବିଜୟ ଉପରେ ବିଜେପିର ପୂର୍ବତନ ସାଂସଦ ବୃଜଭୂଷଣ ଶରଣ ସିଂହଙ୍କ ମଧ୍ୟ ବୟାନ ଆସିଛି । ବିଧାନସଭା ନିର୍ବାଚନ ପରିଣାମକୁ ନେଇ ବୃଜଭୂଷଣ ଶରଣ ସିଂହ ହରିୟାଣା ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିନେଶଙ୍କ ନାଁ ନନେଇ ସେ କହିଛନ୍ତି ଯେ ହରିୟାଣା ନିର୍ବାଚନ ଦର୍ଶାଉଛି ଯେ ଯେଉଁ ରେସଲର ଜିତିଛନ୍ତି ସେ ନାୟକ ନୁହନ୍ତି ଖଳନାୟକ ଅଟନ୍ତି । ଭିନେଶଙ୍କ ବିଜୟ ଉପରେ ସେ କହିଛନ୍ତି ଯେ ସେ ଜିତିଛନ୍ତି ଭଲ କଥା, କିନ୍ତୁ କଂଗ୍ରେସର ସତ୍ୟାନଶ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.