ହରିୟାଣା ବିଧାନସଭାର ୯୦ ଆସନ ପାଇଁ ଭୋଟ ଗ୍ରହଣ ଶେଷ, ୬୦%ରୁ ଅଧିକ ଭୋଟିଂ ଅନୁମାନ

Published By : Prameya-News7 Bureau | October 05, 2024 IST

ଚଣ୍ଡିଗଡ଼ ୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଶନିବାର ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଏଠାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ତୃତୀୟବାର ଶାସନକୁ ଫେରିବା ଲାଗି ଉଦ୍ୟମ କରୁଛି, ଅନ୍ୟପଟେ କଂଗ୍ରେସ ଦଶନ୍ଧୀ ପରେ ସରକାର ଗଢିବାକୁ ଅଣ୍ଟାଭିଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିବା ଭୋଟ ଗ୍ରହଣ ସୁଚାରୁ ରୂପେ ହୋଇଛି। ତେବେ ନୁଂହରେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି। 

ଅପରାହ୍ନ ୫ଟା ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ୬୧ ପ୍ରତିଶତ ମତଦାନ ହୋଇଛି ଓ ସବୁଆଡୁ ସୂଚନା ମିଳିବା ପରେ ଏହି ପ୍ରତିଶତ ବୃଦ୍ଧି ହୋଇପାରେ। ଏହି ନିର୍ବାଚନରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି, ଆଇଏନଏଲଡି-ବିଏସପି ଓ ଜେଜେପି-ଆଜାଦ ସମାଜ ପାର୍ଟି ନିର୍ବାଚନ ଲଢିଛନ୍ତି। ନିର୍ବାଚନରେ ୯୦ଟି ବିଧାନସଭା ଆସନ ନିମନ୍ତେ ୧,୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଯେଉଁଥିରେ ୧୦୧ ମହିଳାଙ୍କ ସମେତ ୪୬୪ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି। 

ଏହି ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ, ଅନିଲ ଭିଜ୍, ଓ.ପି.ଧନଖଡ, କଂଗ୍ରେସର ଭୂପେନ୍ଦ୍ର ସିଂହ ହୁଡ୍ଡା, ଭିନେଶ ଫୋଗଟ, ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଭୟ ସିଂହ ଚୌଟାଲା, ଜେଜେପିର ଦୁଷ୍ୟନ୍ତ ଚୌଟାଲା ଆଦି ପ୍ରମୁଖ ଚେହେରା ପ୍ରତିଦ୍ୱନ୍ଦ୍ୱୀତା କରିଛନ୍ତି। ଅପରାହ୍ନ ୫ଟା ସୁଧା ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ସୂଚନା ଅନୁସାରେ ଯମୁନା ନଗରରେ ୬୭.୯୩, ସିରସାରେ ୬୫.୩୭, ରୋହତକରେ ୬୦.୫୬, ନୁଂହରେ ୬୮.୨୮, ପଲବଲରେ ୬୭.୬୯, ମହେନ୍ଦ୍ରଗଡ଼ରେ ୬୫.୭୬, କୁରୁକ୍ଷେତ୍ରରେ ୬୫.୫୫ ଓ ଜିନ୍ଦରେ ୬୬.୦୨ ପ୍ରତିଶତ ମତଦାନ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.