ଭାରତରେ ଶାଗୁଣା ସଂଖ୍ୟା କମିବାରୁ ମଣିଷର ହେଉଛି ଅକାଳ ମୃତ୍ୟୁ: ବର୍ଷକୁ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ୭୦ ବିଲିଅନ ଡଲାର

Published By : Prameya-News7 Bureau | July 25, 2024 IST

ndtv

ନୂଆଦିଲ୍ଲୀ: ଭାରତରେ ଶାଗୁଣା ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ପ୍ରକୃତିର ବନ୍ଧୁ ଓ ପୃଥିବୀର ସଫେଇ କର୍ମୀ କୁହାଯାଉଥିବା ଶାଗୁଣାଙ୍କ ସଂଖ୍ୟା କମିଯିବାରୁ ଜୈବ ବିବିଧତା ଓ ମାନବ ସମାଜ ଉପରେ କେତେ ଭୟଙ୍କର ପ୍ରଭାବ ପଡ଼ୁଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆମେରିକାର ଇକୋନୋମିକ ଆସୋସିଏସନ ଇକୋନୋମିକ ରିଭ୍ୟୁ ସର୍ଭେରେ କହିଛି ଯେ ଶାଗୁଣା ସଂଖ୍ୟା କମିବାରୁ ଭାରତରେ ୨୦୦୦ରୁ ୨୦୦୫ ମଧ୍ୟରେ ୫ ଲକ୍ଷ ଅକାଳ ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ, ଶାଗୁଣା ନଥିବା ଯୋଗୁ ଯେଉଁ ସ୍ୱାସ୍ଥ୍ୟ ସଂକଟ ଦେଖା ଦେଉଛି ତାର ବାର୍ଷିକ ଆର୍ଥିକ ଖର୍ଚ୍ଚ ଚାପ ପାଖାପାଖି ୭୦ ବିଲିଅନ ଆମେରିକାଲ ଡଲାର ବୋଲି ଗବେଷଣାରେ କୁହାଯାଇଛି। 

ଭାରତୀୟ ଇକୋସିଷ୍ଟମ(ପରିସଂସ୍ଥାନ) ଉପରେ ଶାଗୁଣାଙ୍କ ଭୂମିକା

ଭାରତୀୟ ଇକୋସିଷ୍ଟମ ପରିଚାଳନ କ୍ଷେତ୍ରରେ ଶାଗୁଣାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଯେପରି ସଫେଇ କର୍ମଚାରୀ ଆଖପାଖରେ ପଡ଼ିଥିବା ଅଳିଆ ସଫା କରି ପରିବେଶକୁ ପରିଷ୍କାର ଓ ରୋଗମୁକ୍ତ ରଖନ୍ତି, ଠିକ ଶାଗୁଣା ସେହିପରି ପଶୁ ପଶୀଙ୍କର ମୃତ ଶରୀର ଖାଇ ପ୍ରକୃତିକୁ ସଫା ଓ ସ୍ୱଚ୍ଛ ରଖିଥାଏ। ଏଥିରେ ରୋଗ ଜୀବାଣୁ ବ୍ୟାପିବା ବନ୍ଦ ହେବ ସହ ଜଳବାୟୁ ପରିଷ୍କାର ରହିଥାଏ। ହେଲେ ଶାଗୁଣା ସଂଖ୍ୟା କମିଯିବାରୁ ମଲା ଗାଇ ଗୋରୁ କୁକୁରଙ୍କ ମୃତଦେହ ଆଦି ପଡ଼ି ରହୁଛି। ଭାରତରେ ଅଧିକାଂଶ ସମୟରେ କୃଷକମାନେ ଗାଇ ଗୋରୁ କୁକୁର ଭଳି ମୃତ ପଶୁ ଶରୀରକୁ ପାଣିରେ ଭସାଇ ଦେଉଛନ୍ତି। ଫଳରେ କୁକୁର ଦେହରେ ଥିବା ରାବିସ ଭୂତାଣୁ ବ୍ୟାପି ଲୋକଙ୍କ ଦେହରେ ରୋଗ ସୃଷ୍ଟି କରୁଛି।   

ଶାଗୁଣା ଲୋପ ପାଇବାରେ ଡାଇକ୍ଲୋଫେନାକ ଔଷଧର ପ୍ରଭାବ

୧୯୯୪ ମସିହା ଠାରୁ ଭାରତରେ ଶାଗୁଣା ସଂଖ୍ୟା ହ୍ରାସ ହେବା ଆରମ୍ଭ ହୋଇଯାଇଥିଲା। ପଶୁ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଡାଇକ୍ଲୋଫେନାକ ଔଷଧ ଏହାର ମୁଖ୍ୟ କାରଣ। କୃଷକମାନେ ସେମାନଙ୍କର ଗାଇ ଗୋରୁଙ୍କୁ ଏହି ଔଷଧ ଦ୍ୱାରା ଚିକିତ୍ସା କରାଇଲେ। ଆଉ ଶାଗୁଣା ଏମାନଙ୍କ ମୃତ ଶରୀରକୁ ଖାଇବା ପରେ ପକ୍ଷୀର କିଡ୍‌ନୀ ଖରାପ ହେବାରେ ଲାଗିଲା। ଫଳରେ ମାତ୍ର ଗୋଟିଏ ଦଶନ୍ଧୀରେ ୫୦ ମିଲିଅନ ଶାଗୁଣା ସଂଖ୍ୟା ହ୍ରାସ ପାଇ ମାତ୍ର କେଇ ହଜାରରେ ସୀମିତ ରହିଗଲା।  

ଗବେଷଣାର ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଶାଗୁଣା ନଥିବା ଯୋଗୁ ମାନବ ସମାଜ ଉପରେ ଏହାର କି ପ୍ରଭାବ ପଡ଼ୁଛି ସେ ନେଇ ୟୁନିଭର୍ସିଟି ଅଫ ୱାରୱିକର ଆସୋସିଏଟ ପ୍ରଫେସର ଏବଂ ସିକାଗୋ ଯୁନିଭର୍ସିଟିର ପରିବେଶ ଅର୍ଥନୀତିଜ୍ଞା ଅନନ୍ତ ସୁଦର୍ଶନ ଏହି ଗବେଷଣା କରିଥିଲେ। ଭାରତରେ ୬୦୦ରୁ ଅଧିକ ଜିଲ୍ଲାରେ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବିଶ୍ଳେଷଣ କରିବା ସହ ଏଠାରେ ଶାଗୁଣାର ଅଭାବ କ୍ଷତି ସହିତ ଯୋଡ଼ିଥିଲେ। ଶାଗୁଣା ନଥିବା ଯୋଗୁ ମଣିଷ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ପ୍ରଭାବ ପଡ଼ୁଛି। ଏଥିରେ ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ୍ଚ ଅନେକ ହେଉଛି। ତେଣୁ ଏପରି ସ୍ଥଳେ ଶାଗୁଣାର ସଂରକ୍ଷଣ ଖୁବ୍ ଆବଶ୍ୟକ ହେଇପଡ଼ୁଛି ବୋଲି ଗବେଷଣାରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.