CJIଙ୍କ ଘରେ ମୋଦିଙ୍କୁ ନେଇ ଆସିଲା କପିଲ ଶିବଲଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | September 12, 2024 IST

ନୂଆଦିଲ୍ଲୀ ୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ସେପ୍ଟେମ୍ବର ବୁଧବାର ନୂଆଦିଲ୍ଲୀସ୍ଥିତ ଚିଫ ଜଷ୍ଟିସ୍ ଅଫ ଇଣ୍ଡିଆ (ସିଜେଆଇ)ଙ୍କ ଘରେ ଅନୁଷ୍ଠିତ ହୋଇଥିବା ପୂଜାରେ ଅଂଶଗ୍ରହଣ କରିଥିଲେ। ଏହାକୁ ନେଇ ବିରୋଧୀ ଦଳ ଏବେ ଆକ୍ରମକ ହୋଇଉଠିଛନ୍ତି। ଏଥି ମଧ୍ୟରେ ରାଜ୍ୟସଭା ସାଂସଦ ତଥା ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ କପିଲ ଶିବଲ ଗୁରୁବାର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ‘ମୁଁ ସୋସିଆଲ ମିଡିଆରେ କିଛି ପ୍ରସାରିତ ହେଉଥିବା ଦେଖିଲି, ସତ କହିବାକୁ ଗଲେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି’। 

ଶିବଲ କହିଛନ୍ତି ଯେ ମୁଁ ୫୦ ବର୍ଷରୁ ଅଧିକ କାଳ ହେଲା ସୁପ୍ରିମକୋର୍ଟ ଓ ଏହି ସଂସ୍ଥାରେ ରହିଛି। ଯେତେବେଳେ ମୁଁ ଭାଇରାଲ ହେଉଥିବା କ୍ଲିପ ଦେଖିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ଏହା ସୁପ୍ରିମକୋର୍ଟ ପାଇଁ ଉଚିତ ନୁହେଁ। ସେ କହିଛନ୍ତି ଯେ କୌଣସି ସାର୍ବଜନିକ ପଦାଧିକାରୀଙ୍କୁ ତାଙ୍କ ଘରୋଇ କାର୍ଯ୍ୟକ୍ରମର ପ୍ରଚାର କରିବା ଉଚିତ ନୁହେଁ। ମୁଁ ବିଶ୍ୱାସ କରିପାରୁନି ବୋଧେ ସିଜେଆଇ ଜାଣି ନାହାନ୍ତି ଏହା ଏବେ ପ୍ରଚାରିତ ହେଉଛି। 

ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କୌଣସି ଘରୋଇ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗ୍ରହୀ ହେବା କଥା ନୁହେଁ। ଯଦି ଏ ସମ୍ପର୍କରେ ଏବେ ଗପସପ ହେଉଛି, ତେବେ ଏହା ସଂସ୍ଥା ପାଇଁ ଉଚିତ ନୁହେଁ। ଲାଇଭ ଲ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ ମୁଁ ଏହି କଥାକୁ ନେଇ ଚିନ୍ତିତ ଯେ ବୈଠକରେ ସୁପ୍ରିମକୋର୍ଟ ସମ୍ପର୍କରେ ଅନାବଶ୍ୟକ ଅଟକଳ ଲଗାଯାଇପାରେ। ସେ କହିଛନ୍ତି ଏହି ପ୍ରସଙ୍ଗ କୌଣସି ବ୍ୟକ୍ତିର ନୁହେଁ, ପ୍ରସଙ୍ଗ ହେଉଛି ଏପରି କ୍ଲିପ ଲୋକଙ୍କ ମନ ଓ ମସ୍ତିଷ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ? 

କପିଲ ଶିବଲ କହିଛନ୍ତି ଯେ ଦ୍ୱିତୀୟ କଥା ହେଉଛି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏପରି ଘରୋଇ କାର୍ଯ୍ୟକ୍ରମ ନିମନ୍ତେ ଋଚି ଦେଖାଇବାର ନଥିଲା।  କାରଣ ପ୍ରଧାନମନ୍ତ୍ରୀ ଯାହାଙ୍କଠାରୁ ଏ ସମ୍ପର୍କରେ ପରାମର୍ଶ ନେଇଥିବେ, ସେ କହିଥିବେ ଏହା ଦ୍ୱାରା ସମାଜକୁ ଭୁଲ ବାର୍ତ୍ତାଯିବ। ଶିବଲ କହିଛନ୍ତି ଯେ ଏହା ଦ୍ୱାରା ଏକ ବିତର୍କ ଆରମ୍ଭ ହୋଇଯାଏ, ଯାହା ଅନାବଶ୍ୟକ ଓ ଇନିଷ୍ଟିଚ୍ୟୁସନ ଲାଗି ହାନିକାରକ। ହୋଇପାରେ ଏହା ପଛରେ କିଛି ଉଦ୍ଦେଶ୍ୟ ନଥାଉ, ହେଲେ ଏଥି ଯୋଗୁ ଅଟକଳବାଜୀ ଆରମ୍ଭ ହୋଇଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.