ଆମେରିକାରେ ପୁଣି ଚାଲିଲା ଟ୍ରମ୍ପ କାର୍ଡ । ବାଜି ମାରିନେଲେ ଡୋନଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଭାବେ ଚଳାଇବେ ୨ୟ ଇଂନିସ । ପୁଣି ହ୍ବାଇଟ୍ ହାଉସ୍ରେ ୪ ବର୍ଷ ଯାଏଁ ଚାଲିବ ଟ୍ରମ୍ପଙ୍କ ରାଜ୍ । କମଳା ହାରିସ୍ଙ୍କୁ ହରାଇ ଐତିହାସିକ ବିଜୟ ନିଜ ନାଁରେ କରିଛନ୍ତି ଟ୍ରମ୍ପ । ବିଜୟ ପରେ ଟ୍ରମ୍ପ ଆମେରିକାର ପ୍ରତ୍ୟେକ ଭୋଟରଙ୍କୁ ଜଣାଇଛନ୍ତି ଧନ୍ୟବାଦ । ଏଠାରେ ତାଙ୍କ ପାଖରେ ଥିବା ଜଣେ ବ୍ୟକ୍ତିଙ୍କର ସେ କରିଛନ୍ତି ପ୍ରଶଂସା । ତେବେ କିଏ ଏହି ବ୍ୟକ୍ତି ? କାହିଁକି କରିଛନ୍ତି ପ୍ରଶଂସା ? ଭାରତ ସହ ତାଙ୍କର ରହିଛି କି କୌଣସି ଲିଙ୍କ୍ ? ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜେଡି ଭେନ୍ସ । ଟ୍ରମ୍ପ କେବଳ ତାଙ୍କୁ ପ୍ରଶଂସା କରିଛନ୍ତି ତା ନୁହେଁ ସେ ଜେଡିଙ୍କ ପତ୍ନୀ ଉଷା ଚିଲୁକୁରି ଭେନ୍ସଙ୍କୁ ପ୍ରଶଂସା କରିଥିଲେ ।
ଟ୍ରମ୍ପ କହିଥିଲେ କି ଜେଡି ଭେନ୍ସଙ୍କୁ ଅଭିନନ୍ଦନ ଜଣାଉଛି । ସେ ଭବିଷ୍ୟତରେ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି କଥା ଶୁଣିବା ପରେ ଏବେ ଜେଡି ଭେନ୍ସଙ୍କୁ ନେଇ ଚର୍ଚ୍ଚା । ଜେଡି ଭେନ୍ସ ଜଣେ ଆମେରିକୀୟ ରାଜନେତା, ଲେଖକ ଏବଂ ଜଣେ ଉଦ୍ୟୋଗୀ । ସେ ରିପବ୍ଲିକାନ୍ ପାର୍ଟିର ସଦସ୍ୟ ଏବଂ ଓହାୟୋରୁ ଆମେରିକୀୟ ସିନେଟର ଭାବରେ କାମ କରୁଛନ୍ତି। ଭେନ୍ସଙ୍କ ପୁରା ନାଁ ହେଉଛି ଜେମ୍ସ ଡେଭିଡ ଭେନ୍ସ ।
ତାଙ୍କର ଜନ୍ମ ୨ ଅଗଷ୍ଟ ୧୯୮୪ରେ ହୋଇଥିଲା । ସେ ବିଶେଷ ଭାବେ ନିଜର ବେଷ୍ଟସେଲର୍ ପୁସ୍ତକ ‘ହିଲବିଲି ଏଲିଜି’ ପାଇଁ ପରିଚିତ । ଏହି ପୁସ୍ତକଟି ଦାରିଦ୍ର ତଥା ସାମାଜିକ ସମସ୍ୟା ଉପରେ ଆଧାରିତ । ଜେଡି ଭେନ୍ସ ସିଲିକନ୍ ଭ୍ୟାଲିରେ ମଧ୍ୟ କାମ କରିଛନ୍ତି ଏବଂ ପରେ ଭେଞ୍ଚର କ୍ୟାପିଟାଲ୍ କ୍ଷେତ୍ରରେ ମଧ୍ୟ ପାଦ ରଖିଥିଲେ । ୨୦୨୨ରେ ଭେନ୍ସ ରାଜନୀତିରେ କରିଥିଲେ ଏଣ୍ଟ୍ରି । ସେ ଓହାୟୋରୁ ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ।
ଏବେ ପ୍ରଶ୍ନ ଆସୁଛି ଜେଡି ଭେନ୍ସଙ୍କର ଭାରତ ସହିତ କଣ ରହିଛି ଲିଙ୍କ୍ ? ବାସ୍ତବରେ ଜେଡି ଭେନ୍ସ ହେଉଛନ୍ତି ଭାରତର ଜ୍ବାଇଁ । ତାଙ୍କ ପତ୍ନୀ ଉଷା ଭେନ୍ସଙ୍କର ଭାରତ ସହିତ ରହିଛି ଗଭୀର ସମ୍ପର୍କ । ଉଷା ଚିଲୁକୁରି ମୂଳତଃ ଭାରତ ଆନ୍ଧ୍ରପ୍ରଦେଶର ବାସିନ୍ଦା । ଏଠାରେ ତାଙ୍କ ପିତାମାତା ରହୁଥିଲେ । ପରେ ସେମାନେ ଯାଇ ଆମେରିକାରେ ବସବାସ କରିଥିଲେ । ଉଷା କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ସାନ ଡିଏଗୋ ଉପକଣ୍ଠରେ ବଢିଥିଲେ ।
ଉଷା ୟେଲରୁ ସ୍ନାତକ ଶେଷ କରିଥିଲେ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର କରିଛନ୍ତି । ୩୮ ବର୍ଷୀୟ ଉଷା ଆମେରିକାରେ ଏକ ରାଷ୍ଟ୍ରୀୟ ଲ ଫର୍ମରେ ଓକିଲ ଅଛନ୍ତି । ସେ ଜଣେ ହିନ୍ଦୁ ଏବଂ ତାଙ୍କ ସ୍ବାମୀ ଜେଡିରୋମନ କ୍ୟାଥୋଲିକ ଅଟନ୍ତି । ଜେଡିଙ୍କ ସହ ଉଷାଙ୍କର ସାକ୍ଷାତ ୨୦୧୦ରେ ପାଠପଢା ସମୟରେ ହୋଇଥିଲା । ବନ୍ଧୁତା ହେବା ପରେ ୨୦୧୪ରେ ଉଭୟ ବିବାହ କରିଥିଲେ । ବର୍ତ୍ତମାନ ଉଭୟଙ୍କର ରହିଛନ୍ତି ୩ଟି ସନ୍ତାନ । ଉଷା ରାଜନୈତିକ କାର୍ଯ୍ଯକ୍ରମରେ ସବୁବେଳେ ଜେଡିଙ୍କ ସହିତ ନଜର ଆସିଥାନ୍ତି ।