ଭୁବନେଶ୍ବର ୩୧/୩: ନନ୍ଦନକାନନରୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହୋଇଥିବା ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯାଇଛି । ୭ଟି କାଲିଫର୍ଣ୍ଣିଆ କିଙ୍ଗ ସ୍ନେକ, ୨ଟି କାଲିଫର୍ଣ୍ଣିଆ ଆଲବିନା ସ୍ନେକ, ୧୦ଟି ପିଗ୍ ନୋସେଡ କଇଁଛ ଓ ୭ଟି ନାଇଲ ମନିଟର ଗୋଧି ଏମିତି ୨୬ଟି ଜୀବଜନ୍ତୁ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ।ସମସ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇ ସଂଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ଉପରେ କଡା ନଜର ରଖାଯାଇଛି ।
ଗତ ଶନିବାର ଭୁବନେଶ୍ବର ଏୟାରପୋର୍ଟରୁ ଅନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ,କଇଁଛ ଓ ଗୋଧି । ତାମିଲନାଡୁର ଜଣେ ବ୍ୟକ୍ତି ବ୍ୟାଗରେ ଏସବୁ ନେଇ ଯାଉଥିବାବେଳେ ଧରାପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ବନବିଭାଗକୁ ଖବର ଦିଆଯିବା ପରେ ଆରମ୍ଭ ହୋଇଥିଲା ଛାନ୍ଭିନ୍ । ଏହା ପରେ ଉଦ୍ଧାର ଜୀବଜନ୍ତୁଙ୍କୁ ନନ୍ଦନକାନନକୁ ଅଣାଯାଇଛି ।